ଅସଦାଚରଣ ଅଭିଯୋଗରେ ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

14

ଭୁବନେଶ୍ୱର: ସହକର୍ମୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ବାଳଙ୍କୁ ଆଜି ଖାରବେଳନଗର ପୋଲିସ ଗିରଫ କରିଛି । ପୀଡିତାଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ଥାନା ପୋଲିସ ଅଭିଯୁକ୍ତ ଅରୁଣଙ୍କୁ କୋର୍ଟଚାଲାଣ କରିଛି ।
ଖାରବେଳନଗର ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ବାଳ କହିଛନ୍ତି, ‘ପୀଡିତା ଯୁବତୀ ଜଣକ ଅବିବାହିତ । ସେ ପରିବହନ ବିଭାଗରେ କାର୍ଯ୍ୟରତ ଅଛନ୍ତି । ତାଙ୍କୁ ଅରୁଣ ଭୟଭୀତ କରାଇ ଧମକ ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଏପରିକି ଗତକାଲି ବିଳମ୍ବିତ ରାତିରେ ଯୁବତୀଙ୍କ ଘରେ ପଶିଥିଲେ ଅରୁଣ । ସେଠାରେ ପୀଡିତାଙ୍କ ସହ ଅରୁଣ ଅସଦାଚରଣ କରିଥିବା ଅଭିଯୋଗ ରହିଛି । ଏନେଇ ଯୁବତୀ ଜଣକ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଆଧାର କରି ପୋଲିସ ମାମଲା (ନଂ.୬୫୭/୨୦୨୬) ରୁଜୁ କରି ତଦନ୍ତ କରିଛି ।’ ଘଟଣାସ୍ଥଳରେ ସିସିଟିଭି ଫୁଟେଜ, ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ, ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ଆଇଆଇସି କହିଛନ୍ତି । ପୋଲିସ ସୂଚନା ଅନୁଯାୟୀ, ପୀଡିତା ଯୁବତୀ ଜଣକ ଖାରବେଳନଗର ଥାନା ଅଞ୍ଚଳରେ ପିଜି ହଷ୍ଟେଲରେ ଭଡାରେ ରହୁଛନ୍ତି । ପରିବହନ ବିଭାଗରେ ଚୁକ୍ତି ଭିତ୍ତିରେ ଚାକିରି କରୁଛନ୍ତି । ତେବେ ଅରୁଣ ତାଙ୍କୁ ପ୍ରେମ ନିବେଦନ କରିବା ସହ ବିଭିନ୍ନ ସମୟରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଗତକାଲି(ଗୁରୁବାର) ରାତିରେ ଅରୁଣଙ୍କ ହଙ୍ଗାମା ବେଳେ ଯୁବତୀ ଜଣକ ପୋଲିସକୁ କଲ କରିଥିଲେ । ପୋଲିସ ଟିମ୍ ପହଞ୍ଚି ସ୍ଥିତି ବୁଝିବା ସହ ଅରୁଣଙ୍କୁ ଥାନାକୁ ଉଠାଇ ଆଣିଥିଲା ।

Comments are closed, but trackbacks and pingbacks are open.