ଆଦାନୀ ନେଲା ଗୋପାଳପୁର ବନ୍ଦର

45

ଭୁବନେଶ୍ୱର: ଗୁରୁବାର ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ଶେଷ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୩ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି ।  ଏହି ପରିପ୍ରେକ୍ଷୀରେ ଗୋପାଳପୁର ବନ୍ଦର ନେଇ କ୍ୟାବିନେଟରେ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତଦନୁଯାୟୀ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ  ଅଂଶଧନ ଆଦାନୀ ହାସଲ କରିଛି । ବାକି ୫ ପ୍ରତିଶତ ଅଂଶଧନ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିବ । ୯୫%: ୫% ଅଂଶଧନ ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି ।  ଗୋପାଳପୁର ପୋର୍ଟସ୍ ଲିମିଟେଡରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ, ନେବୋଲ ଗ୍ରୁପ୍ ଓ ସାରା ଇଂଟରନ୍ୟାସନାଲର ଯଥାକ୍ରମେ ୩୪,୩୩ ଓ ୩୩ ପ୍ରତିଶତ ଲେଖାଏଁ ଅଂଶଧନ ଥିଲା । ୨୦୧୦ ଓ ୨୦୧୭ ମସିହାରେ ଏହି ବନ୍ଦରର ଅଂଶଧନରେ ପରିବର୍ତ୍ତନ ହୋଇଥିଲା । ତେବେ ପରେ ଏହି ଅଂଶଧନରେ ସଂଶୋଧନ ହୋଇଥିଲା । ଏହି ବନ୍ଦରର ବିକାଶ ତଥା ସମ୍ପ୍ରସାରଣ ନିମନ୍ତେ ଗୋପାଳପୁର ପୋର୍ଟସ ଲିମିଟେଡ ଏହାର ୯୫ ପ୍ରତିଶତ ଅଂଶଧନ ଆଦାନୀ ବନ୍ଦର ଓ ଏସଇଜେଡ୍‌କୁ ହସ୍ତାନ୍ତର ନିମନ୍ତେ ରାଜ୍ୟ ସରକାରଙ୍କ ସମ୍ମତି ମାଗିଥିଲେ । ଏହି ଅଂଶଧନରେ ୫୬ପ୍ରତିଶତ ଶାପୁରଜୀ ପାଲୋଞ୍ଜି ପୋର୍ଟ ମେଂଟନାନ୍ସ ଓ ୩୯ ପ୍ରତିଶତ ଓଡ଼ିଶା ଷ୍ଟିଭେଡର୍ସ ଲମିଟେଡର ରହିଥିଲା । ତେବେ ଏହି ଦୁଇ କମ୍ପାନୀର ସମସ୍ତ ଅଂଶଧନକୁ ଆଦାନୀ ବନ୍ଦର ଅଧିଗ୍ରହଣ କରିସାରିଛି । ସୂଚନାଯୋଗ୍ୟ ଏହି ଗୋପାଳପୁର ବନ୍ଦରକୁ ପିପିପି ମୋଡରେ ବିକାଶ ନିମନ୍ତେ ରାଜ୍ୟ ସରକାର ଗୋପାଳପୁର ପୋର୍ଟସ ଲିମିଟେଡକୁ ଏକ ଆନ୍ତର୍ଜାତିକ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟାରେ ଚୟନ କରାଯାଇଥିଲା । ଅନ୍ୟପକ୍ଷରେ ଅଗ୍ନିବୀରଙ୍କ ପାଇଁ ଓଡ଼ିଶା ସରକାରଙ୍କ ଚାକିରିରେ ୧୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଛି। ୧ ବର୍ଷ ଟ୍ରେନିଂ ଓ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ। ପୁଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ରହିବାର ବ୍ୟବସ୍ଥା ରହିଥିବା ନେଇ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ସୂଚନା ଦେଇଛନ୍ତି। ସେହିପରି  ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ଚାକିରି ମିଳିବ। ଖାଲି ଏତିକି ନୁହେଁ ମା’-ବାପାଙ୍କ ଉପରେ ନିର୍ଭର କରୁଥିବା ବିବାହିତ ଝିଅ/ ସାବତ ଝିଅଙ୍କୁ ମଧ୍ୟ ଚାକିରି ସୁବିଧା ମିଳିବ।

Comments are closed, but trackbacks and pingbacks are open.