ଡାକ୍ତରୀ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ଡିସିପି

22

ଭୁବନେଶ୍ବର: ଏସସିବି ମେଡିକାଲର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲା ଏବେ ଆହୁରି ଜଟିଳ ହେବାରେ ଲାଗିଛି । ଘଟଣା ଘଟିବା ଦିନଠାରୁ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଭୀମସେନ ଫେରାର ଥିବା ବେଳେ ଏହାକୁ ନେଇ କଟକ ଡିସିପି ଋଷିକେଶ ଡି. ଖିଲାରୀ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଭୀମସେନଙ୍କୁ ଫେରାର ହେବାରେ ସାହାଯ୍ୟ କରୁଥିବା କିମ୍ବା ଆଶ୍ରୟ ଦେଇଥିବା ସହଯୋଗୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଡିସିପି ଚେତାବନୀ ଦେଇଛନ୍ତି । ଅନ୍ୟପଟେ, ଅଭିଯୁକ୍ତ ଭୀମସେନ ଗତକାଲି ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ବେଳେ କୋର୍ଟରେ ପୋଲିସ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନାହିଁ । ଶ୍ୱାସରୁଦ୍ଧ ହେବା ଯୋଗୁଁ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତେବେ ପୂର୍ଣ୍ଣାଙ୍ଗ ଫରେନସିକ୍ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ ଓ ଅସଲ କାରଣ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।

Comments are closed, but trackbacks and pingbacks are open.