ଅଚ୍ୟୁତ ସାମନ୍ତଙ୍କୁ ଗୁଏତମାଲାର ଦୁଇ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍

467

ଭୁବନେଶ୍ୱର, ୧୨ ।୮: ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗୁଏତମାଲାର ଦୁଇଟି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ ଡିଗ୍ରୀ ପ୍ରଦାନ କରାଯାଇଛି । ଗୁଏତମାଲାର ରୁରାଲ ୟୁନିଭରସିଟି ଅଫ୍‍ ଗୁଏତମାଲା ଓ ମାୟା କାକ୍‍ଚିକେଲ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯାଇଛି । ଏହା ହେଉଛି ଶ୍ରୀ ସାମନ୍ତଙ୍କର ୫୪ ଓ ୫୫ତମ ସମ୍ମାନସୂଚକ ଡକ୍ଟୋରେଟ୍‍ । ଶିକ୍ଷା ଓ ସମାଜସେବା ବିଶେଷକରି ଜନଜାତି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରୁରାଲ ୟୁନିଭରସିଟି ଅଫ୍‍ ଗୁଏତମାଲାର ରେକ୍ଟର ତଥା ପ୍ରତିଷ୍ଠାତା ଡ. ଫିଡେଲ୍‍ ରେସ୍‍ ଲି ବିଶ୍ୱବିଦ୍ୟାଳୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତଙ୍କୁ ୫୪ତମ ଡକ୍ଟୋରେଟ୍‍ ପ୍ରଦାନ କରିଥିଲେ । ସେହିପରି ମାୟା କାକ୍‍ଚିକେଲ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ଓ ସ୍ୱତନ୍ତ୍ର ସ୍ଥାନୀୟ ଜନଜାତି ପରମ୍ପରାରେ ଶ୍ରୀ ସାମନ୍ତଙ୍କୁ ଅଭିଷିକ୍ତ କରିବା ପରେ ୫୫ତମ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦା କରାଯାଇଥିଲା । ଏହି ବିଶ୍ୱବିଦ୍ୟାଳୟଟି ଏକ ଜନଜାତି ବିଶ୍ୱବିଦ୍ୟାଳୟ ହୋଇଥିବାରୁ ସେମାନଙ୍କ ପରମ୍ପରା ଅନୁସାରେ ପ୍ରଥମେ ସେମାନଙ୍କ ଦେବତାଙ୍କୁ ପୂଜା କରାଯାଇ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡିଗ୍ରୀ ପ୍ରଦାନ ନିମନ୍ତେ ଅନୁମତି ଅଣାଯାଇଥିଲା । ପରେ ସମ୍ପୂର୍ଣ୍ଣ ସବୁଜିମା ଓ ପ୍ରାକୃତିକ ପରିବେଶରେ ଶ୍ରୀ ସାମନ୍ତ ଏବଂ ତାଙ୍କୁ ମିଳିବାକୁ ଥିବା ସମ୍ମାନସୂଚକ ଡିଗ୍ରୀକୁ ଗୁଏତମାଲାର ଜନଜାତି ପରମ୍ପରା ଅନୁସାରେ ଦୀର୍ଘ ୪ଘଣ୍ଟା ପୂଜାର୍ଚ୍ଚନା କରାଯାଇଥିଲା । ଏକ ନିଆରା ଢ଼ଙ୍ଗରେ ହୋମ କରାଯାଇଥିଲା । କାର୍ଯ୍ୟକ୍ରମରେ ମାୟା କାକ୍‍ଚିକେଲ୍‍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା, ସେଠାକାର ନୋବେଲ୍‍ ବିଜେତା, ଗୁଏତାମାଲାରେ ଅବସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଏବଂ ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.