ଜେଲ ଗଲେ ଅଭିଯୁକ୍ତ ଗୋପାଳ ଦାସ

21

ଜେଲ ଗଲେ ଗୋପାଳ ଦାସ। ଏଏସଆଇ ଚାକିରିରୁ ସୋମବାର ବରଖାସ୍ତ ହେବା ସହ ସେ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଗରେ କହିଥିବା ସୂଚନା ରହିଛି। ସୋମବାର ଗିରଫ କରାଯିବା ପରେ ଗୋପାଳଙ୍କୁ ଝାରସୁଗୁଡା ଜେଏମଏଫସିଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା। ପରେ ଗୋପାଳଙ୍କୁ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇ ଦେଇଛନ୍ତି। ଗୋପାଳଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି।

ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏଡିଜି ଅରୁଣ ବୋଥ୍ରା ଘଟଣାସ୍ଥଳକୁ ନିଜ ଟିମ୍ ଆସି ବିଭିନ୍ନ ଦିଗରୁ ତଦନ୍ତ କରିଛନ୍ତି। କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତଙ୍କ ମୋବାଇଲ, 9 ଏମଏମ ପିସ୍ତଲ ଜବତ କରିବା ସହିତ ତାଙ୍କର ହ୍ୟାଣ୍ଡ ସ୍ବାବ ନେଇଛି। ସେହିପରି ମନ୍ତ୍ରୀ ପିନ୍ଧିଥିବା ପ୍ଯାଣ୍ଟ ସାର୍ଟକୁ ଜବତ କରିଛି ତଦନ୍ତକାରୀ ଟିମ୍।

ତଦନ୍ତକାରୀ ଟିମ୍ ଘଟଣାସ୍ଥଳକୁ ଆସି କିଛି ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରିଥିବା ସୂଚନା ରହିଛି। ଏବେ ପୋଲିସ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମନ୍ତ୍ରୀଙ୍କର ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ବନ୍ଧୁକ ଏବଂ ରକ୍ତ ଭିଜା ସାର୍ଟର ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି। ସେହିପରି ମୋବାଇଲ କଲ୍ ରେକର୍ଡରୁ ଅନେକ କିଛି ତଥ୍ଯ ପଦାକୁ ଆସିବ ବୋଲି ସୂଚନା ରହିଛି।

ଏଡିଜି ଅରୁଣ ବୋଥ୍ରା କହିଛନ୍ତି, ସାଇଣ୍ଟିଫିକାଲି ତଦନ୍ତ ହେଉଛି। ପ୍ରତ୍ୟଶ୍ରଦର୍ଶୀଙ୍କୁ ପଚରାଉଚରା କରିବା ସହିତ ସମସ୍ତ ପ୍ରକାର ପ୍ରମାଣ ସଂଗ୍ରହ କରାଯାଉଛି। ଅଭିଯୁକ୍ତ ଗୁଳି ମାରିଥିବା କଥା ସ୍ୱୀକାର କରିଛି। କୋର୍ଟକୁ ରିମାଣ୍ଡରେ ନେବାକୁ ଅନୁମତି ମଗାଯିବ। ଏହି ସମୟରେ ଜେରା ବେଳେ ଅନେକ କିଛି ପ୍ରମାଣ ହସ୍ତଗତ ହେବ। ତଦନ୍ତକାରୀ ଟିମରେ ସାଇବର ଏକ୍ସପର୍ଟ, ବାଲାଷ୍ଟିକ ଏକ୍ସପର୍ଟ, ଫରେନସିକ୍ ଏକ୍ସପର୍ଟଙ୍କୁ ନେଇ ଗଠିତ ଏକ ବଡ ଟିମ୍ ରହିଛନ୍ତି। ଦୋଷୀ ଏହି ହତ୍ୟା ମାମଲାରେ କଠୋର ଦଣ୍ଡ ପାଇବ ବୋ୍ଲି ବୋଥ୍ରା କହିଛନ୍ତି।

Comments are closed, but trackbacks and pingbacks are open.