ଅଙ୍ଗନବାଡି କେନ୍ଦ୍ରରେ ଅଘଟଣ: ଫାଟିଲା ଗ୍ୟାସ ଟାଙ୍କି, ଅଳ୍ପକେ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ୱ ଶିଶୁ

26

ଭୁବନେଶ୍ବର: ଆଜି ଦିନ ୧୧ଟା ୨୦ରେ ମାହାଙ୍ଗା ବ୍ଲକ ଲଳିତଗିରି ଗ୍ରାମ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର-୨ରେ ଏକ ଅଘଟଣ ଘଟିଛି । ରୋଷେଇ ପାଇଁ ଥିବା ଗ୍ୟାସ୍ ଟାଙ୍କି ଫାଟିଯାଇଥିବାବେଳେ ସେଠାରେ ଥିବା ୨୦ରୁ ଊର୍ଦ୍ଧ୍ୱ ଶିଶୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ପିଲାମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ରୋଷେଇ ହେଉଥିବାବେଳେ ଗ୍ୟାସ ଟାଙ୍କି ଫାଟି ରୋଷେଇ ଘର ହୁତୁହୁତୁ ହୋଇ ଜଳିଥିଲା । ହେଲେ ୨୦ରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି କେନ୍ଦ୍ରକୁ ଆସିଥିବା ଶିଶୁ ଅଳ୍ପକେ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଥିଲା । ପ୍ରକାଶ ଯେ ଲଳିତଗିରି ବିଦ୍ୟାଳୟ ପରିସରରେ ଥିବା ଏକ ପୁରୁଣା ଆଜବେଷ୍ଟ ଗୃହରେ ଅଙ୍ଗନୱାଡି ଶିଶୁମାନଙ୍କ ପାଇଁ ରୋଷେଇଚାଲିଥିଲା । ସହାୟିକା ନୟନା ବାରିକ ଗ୍ୟାସ୍ ଟାଙ୍କି ବନ୍ଦକରି ଅଣ୍ଡା ଛଡ଼ାଇବା ପାଇଁ ବାରଣ୍ଡାକୁ ଆସିଥିଲେ । ଅଣ୍ଡା ଛଡ଼ାଉଥିବା ବେଳେ ରୋଷେଇ ଘରୁ ଧୂଆଁ ବାହାରିବା ଦେଖି ନିଜର ଉପସ୍ଥିତ ବୁଦ୍ଧି ଖଟାଇ ସଙ୍ଗେ ସଙ୍ଗେ ଅଙ୍ଗନବାଡ଼ି କର୍ମୀ ସୁଶିଳା ସିଂହ ଓ କେନ୍ଦ୍ରରେ ଥିବା ୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ତୁରନ୍ତ ପଦାକୁ ପଳାଇଯିବାକୁ କହିଥିଲେ । ଟାଙ୍କିରୁ ଗ୍ୟାସ ଲିକ୍ ହେବା ଫଳରେ ଆଜବେଷ୍ଟ ଘରଟି ଜଳିବାକୁ ଲାଗିଥିଲା ଏବଂ ପ୍ରବଳ ଧୂଆଁ ବାହାରିଥିଲା । ଗ୍ୟାସ ଟାଙ୍କିର ଗୋଟିଏ ପାଶ୍ୱର୍ରେ ଏକ କଣା ହୋଇଯାଇଥିଲା । ଯାହାଫଳରେ ଏହିଭଳି ଦୁର୍ଘଟଣା ଘଟିଥିଲା ଏବଂ ରୋଷେଇ ଘରେ ଥିବା ସମସ୍ତ ସମଗ୍ରୀ ପୋଡ଼ି ପାଉଁଶ ହୋଇଥିଲା ।

Comments are closed, but trackbacks and pingbacks are open.