ରାସ୍ତା ନିର୍ମାଣ ନେଇ ଆସିବ ସ୍ୱତନ୍ତ୍ର ନୀତି

44

ଭୁବନେଶ୍ୱର : ଗମନାଗମନର ସୁଦୃଢ଼ୀକରଣ ଏବଂ ନିର୍ମାଣଜନିତ ପ୍ରତିବନ୍ଧକକୁ ଦୂର କରି ରାଜ୍ୟରେ ରାସ୍ତା ନିର୍ମାଣ ନେଇ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ ନେଇ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି କ୍ରମରେ ଆଜି ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜାତୀୟ ରାଜପଥ, ରାଜ୍ୟ ରାଜପଥକୁ ମିଶାଇ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ବିଭିନ୍ନ ମହାନଗର ନିଗମ ଅଧୀନରେ ଅନେକଗୁଡ଼ିଏ ରାସ୍ତା ରହିଛି । ଅନେକ ସମୟରେ ସମନ୍ୱୟ ଅଭାବ ଯୋଗୁଁ ରାସ୍ତା ନିର୍ମାଣ ଓ ମରାମତି ନେଇ ସମସ୍ୟା ଉତ୍ପନ୍ନ ହେଉଛି । ତେଣୁ ଏହାର ନିରାକରଣ ସହିତ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏକ ରାସ୍ତାନିର୍ମାଣ ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଏବଂ ପୂର୍ତ୍ତ ବିଭାଗ ଇଆଇସି ଇନ୍‌ ଚିଫ୍‌ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ନୀତି ପ୍ରଣୟନ ନେଇ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।

ବୈଠକରେ ବିଭିନ୍ନ ରାସ୍ତାଗୁଡ଼ିକର ସ୍ଥିତି ନେଇ ଏକ ଡାଟାବେସ୍‌ ପ୍ରସ୍ତୁତ, ଆଗାମୀ ଦିନରେ ହେବାକୁ ଥିବା ଟ୍ରାଫିକ୍‌ ସମସ୍ୟାର ସମାଧାନ ନେଇ ରୋଡ୍‌ମ୍ୟାପ୍‌, ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ରାସ୍ତା ନିର୍ମାଣ, ପୁରୁଣା ରାସ୍ତାର ମରାମତି, ସେତୁ ନିର୍ମାଣ, ଘରୋଇ ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ଜମି ଅଧିଗ୍ରହଣ ଉପରେ ଦୃଷ୍ଟିଦେଇ ନୀତି ପ୍ରଣୟନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ପ୍ଲାଷ୍ଟିକ୍‌ ଭଳି ବର୍ଜ୍ୟବସ୍ତୁକୁ ବ୍ୟବହାର କରି ରାସ୍ତା ନିର୍ମାଣ, କମ୍‌ କଞ୍ଚାମାଲର ବ୍ୟବହାର କରି ରାସ୍ତା ନିର୍ମାଣ, ନିର୍ମାଣର ଗୁଣବତ୍ତା ସହ ରକ୍ଷଣାବେକ୍ଷଣ ପାଇଁ ସ୍ୱତନ୍ତ୍ର କର୍ପସ୍‌ ପାଣ୍ଠି ଗଠନ ନେଇ ନୀତିରେ ସ୍ପଷ୍ଟତା ନେଇ ବୈଠକରେ ଆଲୋଚନା ହୋଇଥିଲା । ଅନେକ ସମୟରେ ରାସ୍ତାରେ କେବୁଲ ବିଛାଇବା, ଡ୍ରେନ୍‌ ତଥା ସେ୍ୱରେଜ୍‌ ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ସରକାରଙ୍କ ବିନା ଅନୁମତିରେ ରାସ୍ତାଗୁଡ଼ିକୁ ଖୋଳି ଦେଉଛନ୍ତି । ଏପରି ଘଟଣାର ନିରାକରଣ ପାଇଁ ଉକ୍ତ ସଂସ୍ଥା ବିରୋଧରେ ଜରିମାନା ଲାଗୁ କରିବା ପାଇଁ ନୀତିରେ ଉଲ୍ଲେଖ ରହିବ ।

ଏଥି ସହିତ ଉତ୍ତମ ମାନବସମ୍ବଳ ଅଭାବ ପୂରଣ ସହ ନିର୍ମାଣ ସମୟରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ୨୦୨୯ ସୁଦ୍ଧା ୧୦୦ ଜନସଂଖ୍ୟାବିଶିଷ୍ଟ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣକୁ ସୁନିଶ୍ଚିତ କରିବା ପାଇଁ ଯୋଜନା ପ୍ରସ୍ତୁତ ଉପରେ ବୈଠକରେ ଆଲୋଚନା ହୋଇଥିଲା ।

Comments are closed, but trackbacks and pingbacks are open.