ଅଧୁରା ରହିଗଲା ନିରବ ପ୍ରେମ

59

ଆଜି ଏମିତି ଛାତରେ ଥିବା ସମୟରେ ଅଚାନକ ନଜର ଚାଲିଗଲା ପଶ୍ଚିମାକାଶର ଘର ବାହୁଡ଼ା ଲୋହିତ ସୂର୍ଯ୍ୟ ଉପରକୁ । କେତେ ଭ୍ରମ ସୃଷ୍ଟି କରେ ଏ ସନ୍ଧ୍ୟା । ଶିକ୍ଷା ଦେଇଯାଏ ଉ‹ାନପତନରେ ଭରପୁର ଏ ଜୀବନର । ସବୁ କିଛି କ୍ଷଣ ଭଙ୍ଗୁର ଏ ନସ୍ୱର ସଂସାରରେ । ଅସ୍ତଗାମି ସୂର୍ଯ୍ୟର ଈଶାରା ସବୁ କିଛି ସହି ଆଗକୁ ବଢ଼ିବାକୁ ହେବ ।


ମୁଁ ଉନ୍ନତି , ବର୍ତ୍ତମାନ ବୟସର ଅପରାହ୍ନରେ । ଯାହା ସବୁ ଏବେ ପରିଷ୍କାର ହୋଇ ମନେ ପଡିଯାଉଛି, ସେସବୁ ଅନୁଢ଼ା କିଶୋରୀ ବୟସର ମୂର୍ଖାମୀ ପାଗଳାମୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ପାଠ ପଢା ସରୁ ସରୁ ସୁଦୂର ବାଲେଶ୍ୱରରେ ସରକାରୀ ଚାକିରୀ କରୁଥାଏ । ଘରଠୁ ଏକା ପ୍ରଥମ କରି ରହୁଥାଏ । ଅଫିସ ସମୟ ତକ ଯେନତେନ କଟିଯାଏ ମାତ୍ର ତା ପର ସମୟ ସବୁ ଏକା ଏକା ବିରକ୍ତିକର ମନେ ହୁଏ । ଏମିତି ଦିନେ ସନ୍ଧ୍ୟାରେ ଅଫିସରୁ ଫେରୁ ଫେରୁ, ଆଉ କିଛି ବାଟ ଥାଏ ଭଡା ଘରେ ପହଞ୍ଚିବାକୁ । ଅଚାନକ ବର କୋଳିଆ ଟୋପା ବର୍ଷା ପଡ଼ିଲା । ଅବଶ୍ୟ ବର୍ଷା ଦିନ ଭଲ ପାଗ ଥିବାରୁ ଛତା ନେବାକୁ ଭୁଲି ଯାଇଥିଲି । କଣ କରିବି ଭାବି ପାଖ ବସ ଷ୍ଟାଣ୍ଡରେ ଥିବା ରେଷ୍ଟ ସେଡକୁ ଦଉଡ଼ି ଗଲା ବେଳକୁ ମୋ ବାଆଁ ଗୋଡ ମୋଡି ହୋଇ ଚପଲଟା ଛିଡିଗଲା । ଠିକ୍‌ ଧଡାମ୍‌ କରି ପଛ ପଟୁଆ ପଡ଼ିଲା ବେଳକୁ କେହି ଜଣେ ସେହି ରେଷ୍ଟ୍‌ ସେଡ ମୁହାଁ ଲୋକ ମୋତେ ପଛରୁ ସମ୍ଭାଳି ନେଲା । ବଞ୍ଚିଗଲା ମଣିଷ, ହେଲେ ଭାରି ଅପ୍ରତିଭ, ଅସହଜ ମନେ ହେଉଥାଏ । କାନ୍ଦ କାନ୍ଦ ହେଇଗଲି, କଣ କରିବି କିଛି ଭାବି ପାରୁ ନଥାଏ । କେତେ ଆଖି ସେପଟୁ ଚାହିଁ ରହି ଥାଆନ୍ତି । ସଳଖି ଠିଆ ହେଲି, କାନ୍ଦ କାନ୍ଦ ହୋଇ ସେ ଲୋକକୁ ଧନ୍ୟବାଦ ଦେଲି, ମୋତେ ବଞ୍ଚେଇ ଥିବାରୁ ।


ଇଆଡ଼େ ଗୋଡ ଉଠେଇଲା ବେଳକୁ ଚପଲ ଛିଡ଼ା । ଧେିତ୍‌, ସେ ଲୋକ ଜଣଙ୍କ ମୋତେ ଟିକେ ଶାନ୍ତ ହେବାକୁ କହି ମୋ ଚପଲକୁ ହଠାତ ଉଠେଇ ନେଲେ, ମୁଁ ମନା କରୁଥାଏ, କହିଲେ ଆସ;ୁ ଟିକେ ବର୍ଷା କମିଗଲେ ପାଖରେ କୋଉଁଠି ମୋଚି ଦେଖି ସିଲେଇ କରିଦେବା । କେମିତି କେଜାଣି ମୁଁ ଯେମିତି ସବୁ ମାନି ଯାଉଥାଏ ତାଙ୍କ କଥା ସବୁ । ଆମେ ଦୁଇଜଣ ବର୍ଷାରୁ କଣ ବଞ୍ଚିବୁ ପୁରା ଜୁଡୁବୁଡୁ ଓଦା ।


ମୋତେ ସହଜ କରିବାକୁ ଯାଇ ସେ ଲୋକ ଜଣଙ୍କ କହିଲେ ମୁଁ ଶାନ୍ତନୁ, ଏଇ ବାଟରେ ଅଫିସ୍‌ ନିତି ଯିବା ଆସିବା କରେ । ଇରିଗେସନ୍‌ ବିଭାଗରେ ପାଞ୍ଚ ବର୍ଷ ହେଲାଣି କାମ କରୁଛି, ମୋ ଘର ସମ୍ବଲପୁରରେ । ମୁଁ ଧିରେ ଧିରେ ସହଜ ହେଉଥିଲି, ଆଉ ଚୁପଚାପ୍‌ ତାଙ୍କ କଥା ଶୁଣି ଆଗକୁ ବଢୁଥିଲୁ । ବର୍ଷା ଟିକେ କମି ସାରିଥାଏ, ଶାନ୍ତନୁ ଅଚାନକ ରାସ୍ତା କଡର ମକା ପୋଡ଼ା ଠେଲା ଗାଡି ଦେଖି କହିଲେ, ଚାଲ;ୁ ମାଡାମ୍‌ ଟିକେ ପୋଡ଼ା ମକା ଖାଇବା, ମୁଁ ମନା ବି କରି ପାରୁ ନଥିଲି । ମୁଁ କହିଲି, ମାତ୍ର ଗୋଟେ ସର୍ତ୍ତରେ, ପଇସା ମୁଁ ଦେବି । ସେ କହିଲେ, ନା ନା ଏ କି କଥା ଇଚ୍ଛା ମୋର । ମୁଁ ଆଉ ବାଧ୍ୟ କରି ନପାରି କହିଲି ହଉ ଚାଲ;ୁ । ମୁଁ ସେଦିନର ପୋଡ଼ା ମକାର ବାସ୍ନା ଆଜି ବି ଭୁଲି ପାରିନାହିଁ । ସ୍ମୃତି ଆଉ ଦୀର୍ଘଶ୍ୱାସ ଛଡା ଆଜି ଆଉ ପାଖରେ ମୋର କିଛି ନାହିଁ । ହଁ ଛାଡ଼;ୁ ସେ ସବୁ, ସେ ମକା ଖାଇବା ଭିତରେ ମୁଁ ମୋ ପରିଚୟ ଦେଇ ସାରିଥାଏ, ଲାଗୁନଥିଲା ଯେ ମୁଁ ଜଣେ ଅପରିଚିତ ଲୋକ ସହ କଥା ହେଉଛି । ଅଳ୍ପ ଚିହ୍ନା ଭିତରେ ଶାନ୍ତନୁ ଭାରି ମେଳାପି ଆଉ ଅମାୟିକ ଲୋକ ବୋଲି ମୁଁ ଜାଣି ସାରିଥାଏ । କିଛି ସମୟ ପରେ ଦୁହେଁ ଦୁହିଁଙ୍କ ଠାରୁ ବିଦାୟ ନେଲୁ । ହେଲେ କାହିଁକି କେଜାଣି ମନ ସେଇଠି ସେମିତି ଠିଆ ହୋଇ ରହିବାକୁ ବାଧ୍ୟ କରୁଥାଏ ।


ତାପରେ ଜାଣିଶୁଣି ଆମେ ପ୍ରାୟ ଅଫିସ ଛୁଟି ପରେ ବେଶୀ କିଛି କାମ ନଥିଲେ, ସବୁ ସନ୍ଧ୍ୟାରେ ଦେଖା ସାକ୍ଷାତ ହେବା ନିତି ଦିନିଆ ଅଭ୍ୟାସରେ ପରିଣତ ହେଲା । ପାଳି କରି ଦିନେ ଛାଡ଼ି ଦିନେ ମକା ପାଇଁ ପଇସା ଦେଉ । ଏଇ ମକା ଖୁଆ ଖୁଇରେ ଅଜାଣତରେ ମନ ଦିଆ ନିଆ ସରି ଯାଇଥାଏ, ହେଲେ କେହି ମୁହଁରେ ସ୍ୱୀକାର କରିନଥାଉ ସେଯାଏ । କେବେ କେମିତି ଦେଖା ହେଲେ ମନ ଗୋଳମାଳ ହୁଏ । ଏମିତି ଏମିତି କିଛି ମାସ ଗଲା । ସେତେବେଳେ ମୋବାଇଲ୍‌ ଫୋନର ସୁବିଧା ନଥାଏ । ମନେ ମନେ ଶାନ୍ତନୁଙ୍କୁ ମୁଁ ନିଜର ଭାବିବା ଆରମ୍ଭ କରି ସାରିଥାଏ, ମାତ୍ର ମନ କଥା ମନ ଭିତରେ ଥାଏ । ବିଚ୍ଛେଦର ଲେଶ ମାତ୍ର କାରଣ ନଥାଏ । ମୁଁ ଅପେକ୍ଷା କରିଥାଏ ସେ କେବେ ମୋତେ ତାଙ୍କ ମନ କଥା କହିବେ, ଆଉ ତାପରେ ମୁଁ ?


ଏମିତି ଦିନେ ଶାନ୍ତନୁ ମୋତେ କହିଲେ ତୁମେ କାଲି ଟିକେ ଶାଢ଼ୀ ପିନ୍ଧି ଅଫିସ ଆସିବ, ଟିକେ ଅସ୍ତଗାମୀ ସୂର୍ଯ୍ୟ କିରଣରେ ମୁଁ ତୁମକୁ ଦେଖିବାକୁ ଚାହୁଁଛି । ଶାଢ଼ୀରେ, କିଛି ବୁଝି ପାରିଲିନି, ଖୁସିରେ ହଁ ମାରିଦେଲି, ଭାବିଲି ନିଶ୍ଚେ ଶାନ୍ତନୁ ମୋତେ ତାଙ୍କ ମନ କଥା କହିବେ । କେମିତି ତା ପରଦିନ ସନ୍ଧ୍ୟା ହେବ, ମୋତେ କିଛି ଜଣା ପଡୁନଥାଏ । ଅଫିସ୍‌ ପରେ ଜଲଦି ବାହାରି ଗଲି ପୂର୍ବ ନିର୍ଦ୍ଧାରିତ ଜାଗାକୁ । ଅଚାନକ ବର୍ଷା, ପୁରା ଓଦା, ମୋତେ କିଛି ଫରକ ପଡୁନଥାଏ । କେମିତି ଦେଖା ହେବ ମୋ ମନର ମଣିଷ ସହ । କେତେବେଳେ ପହଞ୍ଚିବେ ଶାନ୍ତନୁ, ସମୟ ଗଡ଼ି ଚାଲୁଥାଏ ତା ସହ ମନରେ ଛନକା ପଶୁଥାଏ ।


ସମୟ ସରିଗଲା, ମନ ବି ଭାଙ୍ଗି ଗଲା । ଏଯାଏଁ ଜାଣି ପାରିଲିନି ଶାନ୍ତନୁ କାହିଁକି ଆସିଲେନି ଖାଲି ସେଦିନ ନୁହେଁ ସେ ଆଉ କେବେବି ଆସିଲେନି, ନିତି ଯିବା ଆସିବା ବାଟରେ ଆଖି ତାଙ୍କୁ ହିଁ ଖୋଜି ବୁଲେ । ଯେହେତୁ ମୁଁ ତାଙ୍କ ଘର ଠିକଣା କି ତାଙ୍କର କେହି ବନ୍ଧୁଙ୍କୁ ଜାଣି ନଥିଲି, ଖୋଜି ପାଇବା ବି ଆଉ ସମ୍ଭବ ହେଲାନି ।


ମନର ଅଶାନ୍ତ ଝଡ଼ ଭିତରେ ବଞ୍ଚିବା ମୁସ୍କିଲ ହେଇଗଲା । ଶାନ୍ତନୁଙ୍କ ସହ ସ୍ମୃତି ଖାଇ ଗୋଡେଇଲା ମୋତେ ।
କାହାକୁ କିଛି କହିବାର ଅବକାଶ ନଥିଲା । ଯେନତେନ ପ୍ରକାରେ ଘର ଲୋକଙ୍କୁ ବୁଝେଇ ଚାକିରୀ ଛାଡ଼ିଦେଲି । ଏଇ ଭିତରେ ବହୁତ ବର୍ଷ ବିତି ଯାଇଛି, ହେଲେ ମୋ ମନ କୋଉଠି ନା କୋଉଠି ଶାନ୍ତନୁଙ୍କୁ ସେମିତି ଅପେକ୍ଷା କରି ରହିଛି । ସେ ଦୃଶ୍ୟପଟ ଆଜିବି ସମୁଜ୍ଜkଳ ।


ମନ ଗୁମୁରି କାନ୍ଦେ, କୁଆଡେ ଚାଲିଗଲ ଶାନ୍ତନୁ ? ଯେଉଁଠି ଥାଅ ଖୁସିରେ ଥାଅ । ତୁମ ବିନା ସବୁ ଆଜିବି ମୋ ପାଇଁ ତୁଚ୍ଛ । ଏ ଅସ୍ତରାଗର ଗୋଧୂଳି ମୋତେ ସେବେଠୁଁ କଷ୍ଟ ଦେଉଛି, ମୁଁ ପ୍ରତ୍ୟେକ ମୁହୂର୍ତ୍ତ ତୁମ ସ୍ମୃତିରେ ବଞ୍ଚୁଛି ଶାନ୍ତନୁ । ସାରା ଜୀବନ ତୁମକୁ ଅପେକ୍ଷା କରିବା କଣ ମୋର ଭବିଷ୍ୟତ ?

Comments are closed, but trackbacks and pingbacks are open.