ସମ୍ଭାବ୍ୟ ବାତ୍ୟାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା

44

• ଆସନ୍ନ ପ୍ରସବା, ଶିଶୁ, ବୃଦ୍ଧବୃଦ୍ଧା, ଓ ନିରାଶ୍ରୟ ବ୍ୟକ୍ତିଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱାରୋପ

• ଶୁଖିଲା ଖାଦ୍ୟ ମହଜୁଦ ଓ ନିରବଚ୍ଛନ୍ନ ଜଳାଯୋଗଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଖାରବେଳ ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ସମୀକ୍ଷା ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହିତ ପ୍ରଭାବିତ ଜିଲ୍ଲା ତଥା ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଂଚଳର ଉଚ୍ଚପଦସ୍ତ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।

ବାତ୍ୟା ସମୟରେ ଏବଂ ପରବର୍ତ୍ତୀ ଅବସ୍ଥାରେ ତ୍ୱରିତ ସେବା ପ୍ରଦାନ ଉପରେ ମନ୍ତ୍ରୀ ଡ଼ା.ମହାପାତ୍ର ଗୁରୁତ୍ୱ ଦେଇଥିଲେ । ତଳିଆ ଅଞ୍ଚଳ ଓ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କାଘର ଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ଆଜି ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ଅଧିକାରୀ ମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଆସନ୍ନ ପ୍ରସବା, ପ୍ରସୂତି ମା ଓ ଶିଶୁ, ଭିନ୍ନକ୍ଷମ ଏବଂ ନିରାଶ୍ରୟ ବ୍ୟକ୍ତିଙ୍କୁ ବାତ୍ୟା ସମୟରେ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିବା ଉପରେ ମନ୍ତ୍ରୀ ଡ଼ା. ମହାପାତ୍ର ଗୁରୁତ୍ୱାରୋପ କରିଥିଲେ ।

ବୈଠକ ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେହିଭଳି ଆଶ୍ରୟସ୍ଥଳୀ ଗୁଡିକରେ ଚୁଡା, ଗୁଡ଼ ଭଳି ଶୁଖିଲା ଖାଦ୍ୟ ମହଜୁଦ ରଖିବା, ଦୁଇବେଳା ରନ୍ଧା ଖାଦ୍ୟ ପ୍ରଦାନ, ପଶୁଖାଦ୍ୟ, ଔଷଧ, ପାନୀୟଜଳ ଓ ଆଲୋକୀକରଣ ପାଇଁ ଡିଜି ବ୍ୟବସ୍ଥା କରାଯାଇଥିବା ନେଇ ମନ୍ତ୍ରୀଙ୍କୁ ସେ ସୂଚନା ଦେଇଥିଲେ ।

Comments are closed, but trackbacks and pingbacks are open.