୨୦୦କୋଟି ଟଙ୍କାର ମାଦକ ଦ୍ରବ୍ୟ ସହ ଏକ ପାକିସ୍ତାନୀ ବୋଟ୍ ଜବତ

62

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ଓ ଏଟିଏସ୍ ଗୁଜରାଟ ମିଳିତଭାବେ ଏକ ପାକିସ୍ତାନୀ ନୌକା ଜବତ କରିଛନ୍ତି । ଭାରତୀୟ ଜଳରାଶି ମଧ୍ୟରେ ଯାଉଥିବା ଏହି ନୌକାରେ ଛଅ ଜଣ ନାବିକଙ୍କୁ ଗିରଫ ସହ ଦୁଇଶହ କୋଟି ଟଙ୍କାର ପ୍ରାୟ ୪୦କେଜି ମାଦକ ଦ୍ରବ୍ୟ ଜବତ ହୋଇଛି । ସେପ୍ଟେମ୍ବର ୧୩, ୧୪ ୨୦୨୨ ମଧ୍ୟ ରାତ୍ରିରେ ଏଟିଏସ୍ ଗୁଜରାଟ ପକ୍ଷରୁ ଭାରତୀୟ ତଟରକ୍ଷୀ ବାହିନୀ ଏକ ଗୁପ୍ତ ବାର୍ତ୍ତା ପାଇ ଦୁଇଟି ସି-୪୮୦ ଓ ସି -୪୫୪ ଅନୁଧାବନକାରୀ ଶ୍ରେଣୀୟ ଜାହାଜ ଆନ୍ତର୍ଜାତିକ ସାମୁଦ୍ରିକ ସୀମାରେଖା ଅଞ୍ଚଳରେ ପଇଁତରା ପାଇଁ ମୁତୟନ କରିଥିଲା । ସାମୁଦ୍ରିକ ସୀମାର ପାଞ୍ଚ ସାମୁଦ୍ରିକ ମାଇଲ ଭାରତୀୟ ଜଳରାଶି ଅଞ୍ଚଳ ମଧ୍ୟରେ ଝାଖାଉ ନିକଟରେ ଏକ ପାକିସ୍ତାନୀ ନୌକା ସନ୍ଦେହଜନକ ଭାବେ ଚଳପ୍ରଚଳ ହେବା ପରିଲକ୍ଷିତ ହୋଇଥିଲା । ପାକିସ୍ତାନୀ ନୌକାକୁ ଅନୁଧାବନ କରିବାରୁ ସେ କିଛି ସାମଗ୍ରୀ ପାଣିରେ ଫୋପାଡି ଖସିଯିବାକୁ ଚେଷ୍ଟା କଲା । ଅଶାନ୍ତ ସମୁଦ୍ର ସତ୍ୱେ ଭାରତୀୟ ତଟରକ୍ଷୀ ଜାହାଜ ସେ ନୌକାକୁ ଅନୁଧାବନ କରି ତାକୁ ଜବତ କରିଥିଲା ।
ନୌକାଟିକୁ ଝାଖାଉକୁ ମିଳିତ ଅନୁସନ୍ଧାନ ପାଇଁ ଅଣାଯାଇଛି । ଭାରତୀୟ ତଟରକ୍ଷୀ ଓ ଗୁଜରାଟ ଏଟିଏସ୍ ପକ୍ଷରୁ ଏକ ବର୍ଷ ମଧ୍ୟରେ ଏହା ପଞ୍ଚ କାର୍ଯ୍ୟାନୁଷ୍ଠାନ । ମଜବୁତ ତଟୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ଏଭଳି ମିଳିତ କାର୍ଯ୍ୟାନୁଷ୍ଠାନ ଉତ୍ତମ ସମନ୍ୱୟକୁ ସୂଚାଇଥାଏ ।

Comments are closed, but trackbacks and pingbacks are open.