ପୁରୀ ସହରବାସୀଙ୍କ ପାଇଁ ଜାରି ହୋଇଛି ନୂଆ ଏସ.ଓ.ପି

22

କରୋନା ମହାମାରୀ ପାଇଁ ଦୀର୍ଘ ସାଢେ ତିନି ମାସ ଧରି ଭକ୍ତ ପାଇଁ ବନ୍ଦ ଥିବା ଶ୍ରୀମନ୍ଦିର ଆସନ୍ତା ୧୬ ତାରିଖରୁ ଖୋଲିବ। ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ କେବଳ ପୁରୀ ସହରବାସୀଙ୍କ ପାଇଁ ଜାରି ହୋଇଛି ନୂଆ ଏସ.ଓ.ପି .।
ପୁରୀ ପୌରାଞ୍ଚଳର ୩୨ଟି ୱାର୍ଡରେ ବଣ୍ଟନ ହେବ ଟୋକନ୍। ଟୋକନ୍ ସହ ଆଧାର କାର୍ଡ ଦେଖାଇ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ପୂର୍ବ ଭଳି କିଓସ୍କ ମାଧ୍ୟମରେ ଟୋକନ୍ ଓ ଆଧାର କାର୍ଡ ଦେଖାଇବେ। ଦର୍ଶନ ପାଇଁ ଟିକା ସାର୍ଟିଫିକେଟ ବାଧ୍ୟତାମୂଳକ ନୁହେଁ। ବିନା ଟିକା ପ୍ରମାଣପତ୍ରରେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏହାବାଦ ଶ୍ରୀମନ୍ଦିରର ପରିସରରେ ଧୂପ, ଦୀପ ଜଳାଇବାକୁ ବାରଣ କରାଯାଇଥିବା ବେଳେ ଶ୍ରଦ୍ଧାଳୁ ଆନନ୍ଦ ବଜାରରେ ବସି ପ୍ରସାଦ ସେବନ କରିବାକୁ ମଧ୍ୟ ମନା କରାଯାଇଛି।
କିଛି ଦିନ ପୂର୍ବେ ଆୟୋଜିତ ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ଡବଲ ଡୋଜ ଟିକା କିମ୍ବା ୯୬ ଘଣ୍ଟା ପୂର୍ବରୁ RT-PCR ନେଗେଟିଭ ରିପୋର୍ଟ ଥିବା ଜରୁରୀ ବୋଲି କୁହାଯାଇଥିଲା। ହେଲେ ଏବେ ତାହାକୁ ଉଠାଇ ଦିଆଯାଇଛି। ଏଥିଯୋଗୁ ଭକ୍ତ ମହଲରେ ଆଶ୍ୱସ୍ତି ଖେଳି ଯାଇଛି।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଖୋଲିବା ନେଇ ବସିଥିବା ଛତିଶାନିଯୋଗ ବୈଠକ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର। ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି। ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି। ୨୧ ଓ ୨୨ ତାରିଖ ଶଟ୍‌ଡାଉନ୍‌ ଥିବାରୁ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା କରାଯାଇଛି। ସେହି ଦୁଇ ଦିନ ଶ୍ରୀମନ୍ଦିର ପରିସର ସାନିଟାଇଜ୍‌ କରାଯିବ।
୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ସପ୍ତାହାନ୍ତ ଶଟଡାଉନ, ଜନ୍ମାଷ୍ଟମୀ ଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ମନା ବୋଲି ଘୋଷଣା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Leave A Reply

Your email address will not be published.