ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ

64

ସିଙ୍ଗାପୁରର ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

ଭୁବନେଶ୍ୱର, ଜାନୁଆରୀ ୧୭ –  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭୁବନେଶ୍ୱରରେ ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରନ୍ତ୍ରମଙ୍କୁ ଭେଟି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ହେଉଥିବା ସକାରାତ୍ମକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଶିକ୍ଷା ଦୃଶ୍ୟପଟ୍ଟରେ ଜାତୀୟ ଶିକ୍ଷା ନୀତିର ପରିକଳ୍ପନା ଉପରେ ଆଲୋଚନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରିଥିଲେ । ଏହା ପରେ ଏକ ଦ୍ୱିପାକ୍ଷିକ ସାକ୍ଷାତ୍ ଆଲୋଚନାରେ ଶ୍ରୀ ପ୍ରଧାନ ଭାରତର ଶିକ୍ଷା ବ୍ୟବସ୍ଥା, ସିଙ୍ଗାପୁର ସହିତ ଗୁରୁତ୍ୱପୂର୍ଣ୍ଣ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଉଭୟ ପକ୍ଷର ସହଯୋଗକୁ ସୁଦୃଢ଼ କରିବା ଏବଂ ଜ୍ଞାନ ସେତୁକୁ ସୁଦୃଢ଼ କରିବା ଉପରେ ଫଳପ୍ରଦ ବିଚାରବିମର୍ଶ କରିଥିଲେ । ଆଉ ଏକ ପୃଥକ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ସିଙ୍ଗାପୁରର ରାଷ୍ଟ୍ରପତି ଓ ପ୍ରତିନିଧିମଣ୍ଡଳୀଙ୍କ ଉପସ୍ଥିତିରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବୁଝାମଣା ପତ୍ର(ଏମଓୟୁ)  ସ୍ୱାକ୍ଷରିତ ହୋଇଥିଲା ।    

ଏମଓୟୁ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସିଙ୍ଗାପୁର ଏବଂ ଓଡ଼ିଶା ମଧ୍ୟରେ ଆଜି ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ଏବଂ ସିଙ୍ଗାପୁର ମଧ୍ୟରେ ଏମଓୟୁ ଦ୍ୱାରା ଅନ୍ତର୍ଜାତୀୟ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏହି ଏମଓୟୁଗୁଡିକ ଓଡ଼ିଶାର ଦକ୍ଷତା ପରିସଂସ୍ଥାନ, ଏକବିଂଶ ଶତାବ୍ଦୀର ଦକ୍ଷତା ମାଧ୍ୟମରେ ଓଡ଼ିଶାର ମାନବ ପୁଞ୍ଜିକୁ ଅଧିକ ସଶକ୍ତ କରିବ । ଶିଳ୍ପ କ୍ଷେତ୍ରକୁ ସୁଦୃଢ କରିବା ସହ ଗବେଷଣା, ନବସୃଜନ କ୍ଷେତ୍ରକୁ ମଜଭୂତ୍ କରିବ । ଓଡ଼ିଶାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଏହା ଏକ ସ୍ୱାଗତଯୋଗ୍ୟ ବୁଝାମଣା । ଏହା ଦ୍ୱାରା ଓଡ଼ିଶାର ଦକ୍ଷତା ଇକୋସିଷ୍ଟମ ସୁଦୃଢ଼ ହେବ । ରାଜ୍ୟର ଶିଳ୍ପ ଏବଂ ସାମାଜିକ-ଅର୍ଥନୈତିକ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଭାରତ-ସିଙ୍ଗାପୁର ବ୍ୟାପକ ରଣନୈତିକ ଭାଗିଦାରୀକୁ ଉଚ୍ଚ ସ୍ତରକୁ ନେବା ପାଇଁ ଇଚ୍ଛା ପ୍ରକାଶ କରିଥିବାରୁ ଶ୍ରୀ ପ୍ରଧାନ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି ଥର୍ମନଙ୍କ ଦୁଇ ଦିନିଆ ଗସ୍ତ ଓଡ଼ିଶା ସହ ସିଙ୍ଗାପୁରର ସମ୍ପର୍କରେ ନୂତନ ଦିଗ ଯୋଡ଼ିବା ସହ ଭାରତ-ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Comments are closed, but trackbacks and pingbacks are open.