ପ୍ରକୃତି ପ୍ରେମୀଙ୍କ ନିଆରା ପ୍ରୟାସ ଥାଇଲାଣ୍ଡ ରୁ ଆମ୍ବ ଚାରା ଆଣି କୋରାପୁଟରେ ଲଗାଇଲେ

47

ଏମିତି ଜଣେ ପ୍ରକୃତି ପ୍ରେମୀ ଅଛନ୍ତି ଯିଏ କି ନିଜ ଅଂଚଳକୁ ସବୁଜ ସୁନ୍ଦର କରିବା ପାଇଁ ଥାଇଲାଣ୍ଡରୁ ଗଛ ଆଣିଛନ୍ତି Iକୋରାପୁଟରେ ଜଣେ ପ୍ରକୃତି ପ୍ରେମୀଙ୍କ ଏପରି ପ୍ରୟାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ I କୋରାପୁଟର ଲକ୍ଷ୍ମୀପୁର ଅଞ୍ଚଳରେ ଗଛ ମଣିଷ ତଥା ଗ୍ରୀନମ୍ୟାନ ଭାବରେ ପରିଚୟ ପାଇଥିବା ଗୋପେଶ୍ୱର ଗରଡ଼ା ଚଳାଇଛନ୍ତି ଏଭଳି ନିଆରା ପ୍ରୟାସ । ନିଜର ଅଧା ଦରମା ସେ ଚାରାରୋପଣ ପାଇଁ ଖର୍ଚ୍ଚ କରୁଥିବା ବେଳେ ଲକ୍ଷ୍ମୀପୁର ଅଞ୍ଚଳକୁ ସବୁଜ ସୁନ୍ଦର କରିବାକୁ ସେ ଲାଗି ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ଅନଲାଇନରେ ଥାଇଲାଣ୍ଡର ମିଆଜାକି ଆମ୍ବ ଗଛର ଚାରା ଅର୍ଡର କରି ଲକ୍ଷ୍ମୀପୁର ଅଞ୍ଚଳରେ ରୋପଣ କରୁଛନ୍ତି ଗୋପେଶ୍ୱର । ଗୋପେଶ୍ୱର ପେଶାରେ ଜଣେ ଭାରତୀୟ ଜୀବନ ବୀମା ନିଗମର କର୍ମଚାରୀ । କିନ୍ତୁ ନିଶା ହେଉଛି ଗଛ ଲଗାଇବା । ନିଜେ ୬ ଶହରୁ ଅଧିକ ଗଛ ଲଗାଇ ଥିବାବେଳେ ଅନ୍ୟକୁ ଚାରା ରୋପଣ ପାଇଁ ପରାମର୍ଶ ଦେଉଛନ୍ତି । ଲକ୍ଷ୍ମୀପୁର ଅଞ୍ଚଳରେ ସେ ଲଗାଇଛନ୍ତି ଭଳିକି ଭଳି ଔଷଧୀୟ ଗଛ । ଯେଉଠାରେ ବି ଖାଲି ସ୍ଥାନ ଦେଖିଲେ ହାତରେ ଚାରୋଟି ଚାରା ଧରି ଗୋପେଶ୍ୱର ସେଇଠି ପହଞ୍ଚି ଯାଆନ୍ତି । ଚାରା ଲଗାଇବା ସହ ଉପଯୁକ୍ତ ଯତ୍ନ ବି ନିଅନ୍ତି ଗୋପେଶ୍ୱର । ଗାଈଗୋରୁଙ୍କ ଠାରୁ ଗଛଗୁଡ଼ିକର ସୁରକ୍ଷା କରିବା ଦିଗରେ ମଧ୍ୟ ଗୋପେଶ୍ୱର ସମ୍ପୂର୍ଣ୍ଣ ସଜାଗ ରହନ୍ତି ।
ପ୍ରକୃତିର ଭୂସ୍ୱର୍ଗ କୋରାପୁଟ । ନୈସର୍ଗିକ ସୌନ୍ଦର୍ଯ୍ୟ ପାଇଁ କୋରାପୁଟ ଖୁବ୍ ଜଣାଶୁଣା । ତେବେ କରୋନା ମହାମାରୀ ସମୟରେ କୋରାପୁଟ ବି ପ୍ରକୋପର ଶିକାର ହୋଇଥିଲା । ଅନେକ ବ୍ୟକ୍ତି ଅମ୍ଳଜାନ ଅଭାବରୁ ନିଜର ପ୍ରାଣ ହରାଇଥିବା ବି ସାମ୍ନାକୁ ଆସିଥିଲା । ତେବେ କରୋନା ଶିଖାଇ ଦେଇଥିଲା ଅମ୍ଳଜାନ ଓ ବୃକ୍ଷର ପ୍ରଧାନ୍ୟତା । ସମସ୍ତେ ଯଦି ନିଜ ପରିବେଶ ପାଇଁ ଏଭଳି ପ୍ରୟାସ କରିପାରନ୍ତେ ତେବେ ଭବିଷ୍ୟତରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରାଯାଇ ପାରନ୍ତା ବୋଲି ଗୋପେଶ୍ୱର କୁହନ୍ତି । ବିଭିନ୍ନ ନର୍ସରୀରୁ ନିଜ ଖର୍ଚ୍ଚରେ ଚାରା କିଣିବା ସହ ଏହାକୁ ଖତ ସାର ଦେଇ ଗୋପେଶ୍ୱର ରୋପଣ କରନ୍ତି । ହରିଡ଼ା, ବାହାଡ଼ା, ଦେଶୀ ନିମ୍ବ, କୃଷ୍ଣଚୂଡ଼ା, ରାଧାଚୂଡ଼ା, ଗଙ୍ଗଶିଉଳି, ବିଷ୍ଣୁଚୂଡ଼ା, ଅଶୋକ, ଅର୍ଜୁନ, ବଉଳ ଓ ନରକୋଳି ଆଦି ଗଛ ଲଗାଇ ଗୋପେଶ୍ୱର ପ୍ରକୃତି ସୌନ୍ଦର୍ଯ୍ୟକୁ ବଢ଼ାଇବାରେ ଲାଗିଛନ୍ତି । ଆଗାମୀ ଦିନରେ ଲକ୍ଷ୍ମୀପୁର ଅଞ୍ଚଳରେ ଥିବା ପ୍ରତ୍ୟେକ ଗ୍ରାମରେ ସେ ନିମ୍ବ ଗଛ ରୋପଣ କରିବା ନେଇ ଲକ୍ଷ୍ୟ ରଖିଛନ୍ତି । ଜଙ୍ଗଲ ବିଭାଗ ପକ୍ଷରୁ ତାଙ୍କୁ ସହଯୋଗ ମିଳିଲେ ଆହୁରି ଭଲ ହୁଅନ୍ତା ବୋଲି ସମାଜସେବୀ ହେମନ୍ତ ମହାନନ୍ଦିଆ, ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ଲକ୍ଷ୍ମୀପୁରର ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଏବଂ ଶିକ୍ଷାବିତ ଗୋଲକ ଚନ୍ଦ୍ର ଲେଙ୍କା ପ୍ରମୁଖ ମତ ଦେଇଛନ୍ତି ।

Comments are closed, but trackbacks and pingbacks are open.