ବିକଶିତ ଏବଂ ଭବ୍ୟ ଭାରତ ଶିକ୍ଷା ମାଧ୍ୟମରେ ହିଁ ସମ୍ଭବ- ଧର୍ମେନ୍ଦ୍ର ପ୍ରଧାନ

467

ସମ୍ବଲପୁରରେ ବ୍ରହ୍ମକୁମାରୀଙ୍କ “ନୂତନ ଭାରତର ନୂତନ ଶିକ୍ଷା ନୀତି” ଅଭିଯାନର ଶୁଭାରମ୍ଭ

ସମ୍ବଲପୁର, ନଭେମ୍ବର ୨୨ –  ବିକଶିତ ଏବଂ ଭବ୍ୟ ଭାରତ ଶିକ୍ଷା ମାଧ୍ୟମରେ ହିଁ ହୋଇପାରିବ ବୋଲି ବୁଧବାର ସମ୍ବଲପୁର ଶାସନ ପାବନ ସରୋବର ଠାରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ “ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନ” ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ପ୍ରଜାପିତା ବ୍ରହ୍ମକୁମାରୀ ଅନୁଷ୍ଠାନ ପକ୍ଷରୁ ଆଧ୍ୟାତ୍ମିକ ସଶକ୍ତୀକରଣ ମାଧ୍ୟମରେ ଭାରତକୁ ବଢାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ରାଷ୍ଟ୍ରୀୟ ଅଭିଯାନକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୨୦ରେ ଦେଶରେ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଗୋଟିଏ ସମୟରେ ଆମ ଦେଶ ସୁନାର ଭାରତ ଥିଲା । ମାତ୍ର ଲମ୍ବା ସମୟର ପରାଧୀନତା କାରଣରୁ ଏଥିରେ ଅଧୋଗତି ଦେଖାଗଲା । ଏହାକୁ ସୁଧାରିବା ଦିଗରେ ବ୍ରହ୍ମାକୁମାରୀ ଅନୁଷ୍ଠାନର ଆଧ୍ୟାତ୍ମିକ ସଶକ୍ତୀକରଣ ମାଧ୍ୟମରେ ଭାରତକୁ ବଢାଇବା ଲକ୍ଷ୍ୟରେ “ନୂତନ ଭାରତର ନୂତନ ଶିକ୍ଷା ନୀତି ଅଭିଯାନ” ସମ୍ବଲପୁରରୁ ଆରମ୍ଭ ହେବା ଖୁସିର ବିଷୟ ।

 ଦେଶରେ ୧୪୦ କୋଟି ନାଗରିକଙ୍କ ମଧ୍ୟରୁ ୩ ରୁ ୨୩ ବର୍ଷ ବୟସର ପ୍ରାୟ ୫୦ କୋଟି ନାଗରିକ ଅଛନ୍ତି । ବର୍ତ୍ତମାନ ସମୟରେ ଚ୍ୟାଲେଞ୍ଜ୍ ହେଉଛି ସେମାନଙ୍କୁ ଆମେ ମନୁଷ୍ୟ କରିବା ନା ମେସିନ୍ ବନାଇବା ?  ଆଜି ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦରକାର ନା ଏଚଆଇ ବା ହୁମ୍ୟାନ ଇଣ୍ଟେଲିଜେନ୍ସ ଦରକାର । ଏହାର ଗୋଟିଏ ସୂତ୍ର ଆଧ୍ୟାତ୍ମିକତା । ଭାରତକୁ ଏକବିଂଶ ଶତାବ୍ଦୀରେ ଭବ୍ୟ ଓ ବିକଶିତ କରିବାର ଚାବିକାଠି ହେବା ଶିକ୍ଷା । ଦେଶରେ ସମାନତା ଓ ଦାରିଦ୍ୟକୁ ମୂଳତ୍ପାଟନ କରିବାର ଏକମାତ୍ର ପୁଞ୍ଜି ଶିକ୍ଷା । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସମାଜରେ ନିରନ୍ତର ଶିକ୍ଷା ଜାରୀ ରଖିବାର ପରମ୍ପରା ପ୍ରଶଂସନୀୟ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ମଧ୍ୟ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ ।

Comments are closed, but trackbacks and pingbacks are open.