ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ଗହଳି

87

ଦିନକ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଘୋଷଯାତ୍ରା ପୂର୍ବରୁ ସୋମବାର ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଅଣସର ଘରୁ ବାହାରି ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସକାଳ ୮ଟାରୁ ନବଯୌବନ ଦର୍ଶନ ଆରମ୍ଭ ହୋଇ ସାରିଛି। ପ୍ରଥମେ ପରିମାଣିକ ଟିକେଟଧାରୀଙ୍କୁ ଦର୍ଶନର ସୁଯୋଗ ମିଳିଛି। ବର୍ତ୍ତମାନ ସର୍ବସାଧାରଣ ଦର୍ଶନ ଚାଲିଥିବା ବେଳେ ୧୧ଟା ଯାଏଁ ଦର୍ଶନ ଚାଲିବ।ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି।

ସୂଚନା ଯୋଗ୍ୟ,୯ଟାରୁ ସାହାଣ ମେଲା ଦର୍ଶନ ୨ ଘଣ୍ଟା ଯାଏ ଚାଲିବ। ସକାଳ ୯ଟାରୁ ୧୧ଟା ସର୍ବସାଧାରଣ ଦର୍ଶନ ହେବ। ସିଂହଦ୍ୱାର ଦେଇ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଛି। ୧୧ଟା ପରଠାରୁ ରଥଯାତ୍ରା ପାଇଁ ବିଭିନ୍ନ ନୀତିକାନ୍ତି ଚାଲିବ। ୧୧ଟା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। କେବଳ ପାଶ୍ୱର୍ ଦେବଦେବୀଙ୍କ ଦର୍ଶନ ଭକ୍ତ କରିପାରିବେ। ରାତି ୯ଟା ସୁଦ୍ଧା ସେନାପଟା ଲାଗି ହେବ।

ଜଣେଭକ୍ତ କହିଛନ୍ତି ଯେ ଚଉଦ ଦିନ ପରେ ଚକାନୟନକୁ ଦେଖି ଆମୋଦିତ ହୋଇଛନ୍ତି। ନବଯୌବନ ବେଶରେ ଦେଖିବାକୁ ହଜାର ହଜାର ଭକ୍ତ ଆସିଛନ୍ତି। ଆଉ ତିନି ଦିଅଁକୁ ଦେଖି ସେ ବେଶ ଖୁସି ବୋଲି କହିଛନ୍ତି। ଦିଅଁ ଦର୍ଶନ ପରେ ସେ କାନ୍ଦି ପକାଇଥିବା କହିଛନ୍ତି। କାଳିଆ ଠାକୁରଙ୍କୁ ଯେଉଁ ସମୟରେ ଯେଉଁ ଦୁଃଖ ଜଣାଇଛନ୍ତି ତାକୁ ସେ ଶୁଣିଛନ୍ତି ବୋଲି କହିଛନ୍ତି।

ସେହିପରି ଆଉ ଜଣେ କହିଛନ୍ତି, ସକାଳ କେମିତି ହେବ କାଳିଆ ଠାକୁରଙ୍କୁ ଦର୍ଶନ କରିବେ ଅପେକ୍ଷା କରିଥିଲେ। ଆଉ ଏବେ ସେ ଦେଖିବା ପରେ ବହୁତ ଖୁସି ଓ ଧନ୍ୟ ମନେ କରିଛନ୍ତି। ନବଯୌବନ ଦର୍ଶନ ହେଉଛି ଏକ ରୀତିନୀତି ଯାହା ପ୍ରତିବର୍ଷ ରଥ ଯାତ୍ରା ପୂର୍ବରୁ କରାଯାଏ। ବିଶ୍ୱାସ ରହିଛି ଯେ ଏହି ଦିନ ଦେବତାମାନେ ସେମାନଙ୍କର ଯୁବ ରୂପରେ ଦେଖାଯାନ୍ତି। ଆସନ୍ତାକାଲି ରଥଯାତ୍ରା। ତିନି ଠାକୁର ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ରଥରେ ବସି ମାଉସୀ ମା’ ମନ୍ଦିର ଯିବେ।

ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରିଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରିଛି। ଏକ ସ୍ୱତନ୍ତ୍ର ଟ୍ରାଫିକ୍ ମୋବିଲିଟି ସ୍କିମ୍ ମଧ୍ୟ ଅଛି। ପୁରୀ ସହର ୧୪ ଟି ଜୋନ୍ ଏବଂ ୨୯ ଟି ସେକ୍ଟରରେ ବିଭକ୍ତ ହୋଇଚି। ସହରର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ ପୋଲିସ ଚେକ୍ ପୋଷ୍ଟ ମଧ୍ୟ ସ୍ଥାପନ କରିଛି।

Comments are closed, but trackbacks and pingbacks are open.