ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ର ସମାଧାନ ପାଇଁ କମିଟି ଗଠିତ

21

ଓଡ଼ିଶା ଓ ଆନ୍ଧ୍ର ସୀମା ବିବାଦ ର ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ କମିଟି ଗଠିତ ହୋଇଛି । ଏହି କମିଟିରେ ଅଧ୍ୟକ୍ଷଙ୍କ ସମେତ ୮ ପ୍ରଶାସନିକ ଅଧିକାରୀ ସ୍ଥାନ ପାଇଛନ୍ତି। କମିଟିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ ଓ ଜଳସମ୍ପଦ ସଚିବ, ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ସଚିବ ସ୍ଥାନ ପାଇଛନ୍ତି।
କିଛି ଦିନ ତଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଭେଟ୍‌ଘାଟ ପରେ ୯ଟି ପ୍ରସଙ୍ଗରେ ଦୁଇ ରାଜ୍ୟ ଏକାଠି ମିଶି କାମ କରିବେ ବୋଲି ଦୁଇ ମୁଖ୍ୟମନ୍ତ୍ରୀ ମିଳିତ ବିବୃତି ଜାରି କରିଥିଲେ। ସେଥିରେ ମୁଖ୍ୟତଃ ଜଳସମ୍ପଦ, ସୀମା ବିବାଦ, ଶକ୍ତି ଓ ନକ୍ସଲ ପ୍ରସଙ୍ଗ ପ୍ରମୁଖ ସ୍ଥାନ ପାଇଥିଲା। ଦୁଇ ରାଜ୍ୟ ସରକାର କୋଟିଆ ଗ୍ରାମପୁଞ୍ଜ, ନେରେଡ଼ି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ, ବାହୁଡ଼ା ନଦୀରୁ ଜଳ ଛାଡ଼ିବା, ଜଳବିଦ୍ୟୁତ ଉତ୍ପାଦନ ହେଉଥିବା ବାଲିମେଳା ଓ ଉପର ସିଲେର ପାଇଁ ମିଳିତ ଅନାପତ୍ତି ପ୍ରମାଣପତ୍ର ନିମନ୍ତେ ଏକାଠି କାମ କରିବାକୁ ସହମତି ହୋଇଥିଲା। ସେହିପରି ନକ୍ସଲ ସମସ୍ୟା ଓ ଗଞ୍ଜେଇ ଚାଷ ସମସ୍ୟାର ମୁକାବିଲା ପାଇଁ ଦୁଇ ରାଜ୍ୟ ସରକାର ପରସ୍ପରକୁ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।
ଏହାଛଡ଼ା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲଗୁ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ତେଲଗୁ ଭାଷା ଚେୟାର ସ୍ଥାପନ କରାଯିବ। ଠିକ୍‌ ସେହିପରି ଶ୍ରୀକାକୁଲମସ୍ଥିତ ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା କରିବ। ସେହିପରି ଦୁଇ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଥିବା ସ୍କୁଲଗୁଡ଼ିକରେ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ, ଭାଷା ପରୀକ୍ଷା କରାଇ ଭାଇଚାରାକୁ ପ୍ରୋତ୍ସାହିତ କରାଯିବା ଉପରେ ଆଲୋଚନା ହୋଇଥିଲା। ସେହି ନିଷ୍ପତ୍ତି ଅନୁସାରେ ଆଜି ଓଡ଼ିଶାର ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି।

Leave A Reply

Your email address will not be published.