ରଥଯାତ୍ରାରେ ପ୍ରତି ବ୍ଲକ୍‌ରୁ ପୁରୀକୁ ଗଡିବ ବସ୍

164

ଭୁବନେଶ୍ୱର: ରଥଯାତ୍ରା ପାଇଁ ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ ବସ୍ । କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ସୋମବାର ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ସମୀକ୍ଷା କରି କହିଛନ୍ତି ଯେ ଆସନ୍ତା ରଥଯାତ୍ରାରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଶ୍ରଦ୍ଧାଳୁମାନେ ଯେପରି ପୁରୀ ଯାଇପାରିବେ ସେଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ରାଜ୍ୟର ପ୍ରତି କୋଣରୁ ବସ୍ ସେବା ଯୋଗାଇ ଦିଆଯିବ ଫଳରେ ସବୁ ବର୍ଗର ଶ୍ରଦ୍ଧାଳୁ ଯେପରି ସହଜରେ ଦର୍ଶନ କରିବେ ସେନେଇ ଓଏସଆରଟିସି ପକ୍ଷରୁ ବ୍ୟବସ୍ଥା ହୋଇଥିବା ମନ୍ତ୍ରୀ କହିଛନ୍ତି । ସେହିପରି ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ବସ୍ ସେବା ଆରମ୍ଭ ହେବ । ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା, ତିରୁପତି, ମହାକାଳେଶ୍ୱର, ବାରାଣସୀ ଓ ବୃନ୍ଦାବନକୁ ଗଡ଼ିବ ସରକାରୀ ବସ୍ । ଶ୍ରୀକ୍ଷେତ୍ର ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସହରରୁ ଏସବୁ ତୀର୍ଥ ସ୍ଥଳୀକୁ ଚାଲିବ ବସ୍ ବୋଲି ମନ୍ତ୍ରୀ କହିଛନ୍ତି । ଏହାବ୍ୟତୀତ ରାଜ୍ୟରେ ଅଧିକରୁ ଅଧିକ ପରିବେଶ ଅନୁକୂଳ ଇଲେକ୍ଟ୍ରିକ ବସ୍ ଚଳାଚଳ କରିବ । ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକମାନେ ଅଧିକରୁ ଅଧିକ ବସ୍ ସେବା ଯେଭଳି ପାଇବେ ସେଥିଲାଗି ମଧ୍ୟ ଗୁରୁତ୍ୱ ଦିଆଯିବ । ତେବେ ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣିବାକୁ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ମାଛକୁଣ୍ଡରୁ ଭୁବନେଶ୍ୱର, ବାଲିଗୁଡାରୁ କଟକ, ଉମରକୋଟରୁ ବିଶାଖାପାଟଣା ଭଳି ଜାଗାକୁ ବସ୍ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିବସ୍ ସେବା ଆରମ୍ଭ ହୋଇଯାଇଛି, ଆମ ଓଡ଼ିଶା ଭାଗରେ ମଧ୍ୟ ଏହି ସେବାର ସୁବିଧା ମିଳିବ । ତେଣୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ୧୫ ବର୍ଷରୁ ପୁରୁଣା ବସକୁ ସ୍କାର୍ପକୁ ଦିଆଯିବ । ଆଗକୁ ଇଲେକ୍ଟ୍ରି ବସ୍ ଅଧିକ ଚଳାଚଳ କରାଯିବ । ସେହିପରି ବର୍ତ୍ତମାନ ଲକ୍ଷ୍ମୀବସକୁ ନେଇ ତର୍ଜମା ଚାଲିଛି । ନାଁ ବଦଳିବା ନେଇ ମଧ୍ୟ ଆଲୋଚନା ହେଇପାରେ । ନାଁରେ କିଛି ନାହିଁ ସେବା ମିଳିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

Leave A Reply

Your email address will not be published.