ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ସଂରକ୍ଷିତ ସିଟ୍ ସଂଖ୍ୟା କମିଲା : ଜୋର ଧରିଲା ସଂରକ୍ଷଣ ରାଜନୀତି

19

ପଂଚାୟତ ନିର୍ବାଚନ ଲାଗି ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଏବେ ତାଲିକାରେ ୧୨ ପ୍ରତିଶତ ସଂରକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ୨୦୧୭ ତୁଳନାରେ ଓବିସିଙ୍କ ପାଇଁ ସରଂକ୍ଷିତ ଜିଲ୍ଲାପରିଷଦ ସିଟ ସଂଖ୍ୟା ଏଥର ଢ଼େର୍ ହ୍ରାସ ପାଇଛି । ଏମିତିକି ୧୧୪ ଜୋନରେ ପଛୁଆ ବର୍ଗଙ୍କ ଲାଗି ଆଦୌ ସଂରକ୍ଷଣ ନାହିଁ । ଯାହାକୁ ବିରୋଧୀ ସମାଲୋଚନା କରିଥିବା ବେଳେ ଏହାର ଜବାବ ରଖିଛି ବିଜେଡି । କହିଛି, ସବୁ ବିଧି ବ୍ୟବସ୍ଥା ଅନୁସାରେ ହୋଇଛି । ଆଉ ଘୋଷଣା ଅନୁସାରେ ଦଳ ୨୭ ପ୍ରତିଶତ ପ୍ରାର୍ଥୀ ଓବିସିଙ୍କୁ ଦେବ ।ସଂରକ୍ଷଣ ରାଜନୀତିରେ ଓବିସି ଲାଭରେ ନା କ୍ଷତିରେ ? ପଛୁଆ ବର୍ଗଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ସେହି ନିଆଁରେ ଏବେ ଘିଅ ଢ଼ାଳିଛି ପଞ୍ଚାୟତ ନିର୍ବାଚନକୁ ନେଇ ଆସିଥିବା ସଂରକ୍ଷଣ ତାଲିକା । ଯେଉଁଥିରେ ୮୫୩ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପଛୁଆ ବର୍ଗଙ୍କ ପାଇଁ ୧୦୪ଟି ଆସନ ସଂରକ୍ଷିତ ରହିଛି। ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକାରେ ୧୪ଜିଲ୍ଲାରେ ଓବିସିଙ୍କ ଲାଗି ସିଟ ସଂରକ୍ଷଣ ନାହିଁ । ବୌଦ୍ଧ ଓ ସୋନପୁର ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ ଆସନ ପଛୁଆ ବର୍ଗଙ୍କୁ ଦିଆଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।ସେମାନଙ୍କ ଯୁକ୍ତି ହେଲା, ୨୦୧୭ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ ଲାଗି ସଂରକ୍ଷଣ ଥିଲା ୨୩୬ ସିଟ । ହେଲେ ଏଥର ସିଟ୍ ସଂଖ୍ୟା ୧୦୪କୁ ଖସିଛି । ଫଳରେ ଓବିସି ବର୍ଗ ୧୩୨ ସିଟ ହରାଇଛନ୍ତି । ସରକାର ୨୭ ପ୍ରତିଶତ ଓବିସିଙ୍କ ଲାଗି ସଂରକ୍ଷଣ ରଖିବାକୁ କହୁଥିବା ବେଳେ ହିସାବ କହୁଛି ଏଥର ପଛୁଆବର୍ଗ ପ୍ରାର୍ଥୀଙ୍କୁ ଦିଆଯାଇଛି ମାତ୍ର ୧୨ ପ୍ରତିଶତ ସଂରକ୍ଷଣ । ଏଭଳି ସ୍ଥିତିରେ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପାଇଁ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ କରିଛି ବିଜେପି । ସେପଟେ ସମାନ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରିଛି କଂଗ୍ରେସ । ପଛୁଆ ବର୍ଗଙ୍କ ସଂରକ୍ଷଣ ହିସାବକୁ ବିଜେଡିର କହିବା କଥା, ବିଧି ବ୍ୟବସ୍ଥା ଅନୁସାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯାଇଛି । ସାଧାରଣ ନିର୍ବାଚନ ବେଳେ ମହିଳା ସଂରକ୍ଷଣ ଲାଗି ୩୩ ପ୍ରତିଶତ ମହିଳାଙ୍କୁ ବିଜେଡି ପ୍ରାର୍ଥୀ ଦେବାକୁ କହି କଥା ରଖିଥିଲା । ପଞ୍ଚାୟତ ନିର୍ବାଚନରେ ମଧ୍ୟ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ଦେବାକୁ ଦଳ ଯେଉଁ ଘୋଷଣା କରିଛି ତାହା କାଏମ ରହିବ । ରାଜ୍ୟର ମୋଟ ଭୋଟରଙ୍କ ମଧ୍ୟରୁ ଅଧାରୁ ଅଧିକ ଅର୍ଥାତ୍ ୫୨ ପ୍ରତିଶତ ହେଉଛନ୍ତି ପଛୁଆ ବର୍ଗ ଭୋଟର । ତେଣୁ ପଛୁଆ ବର୍ଗଙ୍କ ଭୋଟ ହାତେଇବାକୁ ସବୁ ରାଜନୈତିକ ଦଳ ପଛୁଆ ବର୍ଗ ସଂରକ୍ଷଣକୁ ପ୍ରସଙ୍ଗ କରିଛନ୍ତି ।

Leave A Reply

Your email address will not be published.