ପୟାଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

23

ପୁରୀ: ପବିତ୍ର ଦୀପାବଳି ତଥା ପୟାଶ୍ରାଦ୍ଧ ଅବସରରେ ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କର ଅପୂର୍ବ ସମାଗମ ଦେଖିବାକୁ ମିଳିଛି। କାର୍ତ୍ତିକ କୃଷ୍ଣ ଅମାବାସ୍ୟାର ଏହି ପବିତ୍ର ତିଥିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ପୁରୀରେ ପହଞ୍ଚିଛନ୍ତି। ଏଥିସହ ଶ୍ରୀମନ୍ଦିର ଚାରିପାଖ ଏବଂ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଭକ୍ତିମୟ ପରିବେଶରେ କମ୍ପିଉଠିଛି। ସନାତନ ପରମ୍ପରା ଅନୁଯାୟୀ, ଏହି ପବିତ୍ର ଦିନରେ ନିଜ ନିଜର ପିତୃପୁରୁଷଙ୍କୁ ସ୍ମରଣ କରି ସେମାନଙ୍କ ଆତ୍ମାର ସଦଗତି କାମନାରେ କାଉଁରିଆ କାଠି ଜାଳି ଦୀପଦାନ କରାଯାଇଥାଏ। ଶ୍ରଦ୍ଧାଳୁମାନେ “ବଡ଼ବଡୁଆ ହୋ, ଅନ୍ଧାରରେ ଆସି ଆଲୋକରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, ବାଇଶି ପାହାଚେ ଗଡ଼ୁଥାଅ” ବୋଲି ମନ୍ତ୍ରୋଚ୍ଚାରଣ ପୂର୍ବକ ପିତୃପୁରୁଷଙ୍କୁ ବୈକୁଣ୍ଠ ଧାମକୁ ବାଟ ଦେଖାଇବା ପାଇଁ କାଉଁରିଆ କାଠି ପ୍ରଜ୍ଜ୍ୱଳିତ କରିଛନ୍ତି। ବଡ଼ଦାଣ୍ଡରେ ଏହି ଆଧ୍ୟାତ୍ମିକ ଦୃଶ୍ୟ ଏକ ଭକ୍ତିପୂର୍ଣ୍ଣ ଓ ଅଭୂତପୂର୍ବ ପରିବେଶ ସୃଷ୍ଟି କରିଛି।

Comments are closed, but trackbacks and pingbacks are open.