ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଫୁଟିଛି ଗୁଳି। ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଅଞ୍ଚଳରେ ଆଜି ଭୋର ପ୍ରାୟ ୩ ସମୟରେ ଘଟିଥିବା ଏକ ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହଳଦୀପଡ଼ିଆ ଅଞ୍ଚଳର ସୋନୁ ନାୟକ ବୋଲି ସ୍ପଷ୍ଟ ହୋଇଛି। ଭୋର ସମୟରେ ଘଟିଥିବା ଏହି ରକ୍ତାକ୍ତ ହତ୍ୟାକାଣ୍ଡ ସମଗ୍ର ରାଜଧାନୀରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, ସୋନୁ ନାୟକ ତାଙ୍କର ୪ ଜଣ ସାଙ୍ଗଙ୍କ ସହିତ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିଲେ। ସେହି ସମୟରେ ବମିଖାଲ ଅଞ୍ଚଳରେ ପୂର୍ବରୁ ଛକି ରହିଥିଲେ କିଛି ସଶସ୍ତ୍ର ଦୁର୍ବୃତ୍ତ। ସୋନୁ ଓ ତାଙ୍କ ସାଙ୍ଗମାନେ ଗାଡ଼ି ନେଇ ସେଠାରେ ପହଞ୍ଚିବା ମାତ୍ରେ ଦୁର୍ବୃତ୍ତମାନେ ହଠାତ୍ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ। ସେମାନେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଅତି ନିକଟରୁ ସୋନୁଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ସୋନୁ ସେଠାରେ ଗୁରୁତର ହୋଇ ଟଳି ପଡ଼ିଥିଲେ। ଏହି ଅପ୍ରତ୍ୟାଶିତ ଗୁଳିଚାଳନା ପରେ ଘଟଣାସ୍ଥଳରେ ଆତଙ୍କରାଜ ସୃଷ୍ଟି ହୋଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସୋନୁଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ନିର୍ମମ ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଛି ନା ଅନ୍ୟ କୌଣସି କାରଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Comments are closed, but trackbacks and pingbacks are open.