ରାଜଧାନୀରେ ଆତଙ୍କ: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଟଳି ପଡିଲେ ଯୁବକ

71

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ରାତିରେ ବମିଖାଲ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କର ମୁର୍ତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ , ସୋନୁ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କର ୪ ଜଣ ସାଙ୍ଗଙ୍କ ସହ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିଲେ । ସୋନୁ ଓ ତାଙ୍କ ସାଙ୍ଗମାନେ ସେଠାରେ ପହଞ୍ଚିବା ମାତ୍ରେ କିଛି ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇଥିଲେ । ଏହାପରେ ଅତି ନିକଟରୁ, ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ସୋନୁଙ୍କ ମୁଣ୍ଡକୁ ଗୁଳିମାଡ଼ କରିଥିଲେ ।ଗୁଳିମାଡ଼ରେ ସୋନୁ ଗୁରୁତର ହୋଇ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ହଠାତ୍ ଏଭଳି ଆକ୍ରମଣରେ ସେଠାରେ ଆତଙ୍କ ଖେଳିଯାଇଥିଲା । ଗୁଳିକାଣ୍ଡ ସମ୍ପର୍କରେ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ସୋନୁଙ୍କୁ ତୁରନ୍ତ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ହେଲେ ସେଠାରେ ଡାକ୍ତର ସୋନୁଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି l କେଉଁ କାରଣରୁ ସୋନୁଙ୍କୁ ଏଭଳି ହତ୍ୟା କରାଗଲା, ଏହା ପଛରେ ପୂର୍ବ ଶତ୍ରୁତା ରହିଛି ନା ଅନ୍ୟ କୌଣସି କାରଣ, ତାହା ସ୍ପଷ୍ଟ ହୋଇନାହିଁ ।

Comments are closed, but trackbacks and pingbacks are open.