ଆସନ୍ତାକାଲି ଗଞ୍ଜାମ ଗସ୍ତରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

14

ଭୁବନେଶ୍ୱର: ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ ସହ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ ସେ ଏହି ଗସ୍ତ କରୁଛନ୍ତି। ସୂଚନା ଅନୁଯାୟୀ, ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫ ମିନିଟ୍‌ରେ ଭୁବନେଶ୍ୱରରୁ ବାହାରି ସେ ଶେରଗଡ଼ ଏବଂ ହିଞ୍ଜିଳିକାଟୁ ଯିବେ। ସେଠାରେ ବନ୍ୟା ବିପନ୍ନ ତଥା କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା କରିବେ। ଏହାପରେ ଦିନ ସାଢ଼େ ଗୋଟାଏରେ ଆସିକା ଏବଂ ଦିନ ୨ଟା ୪୦ ମିନିଟ୍‌ରେ ସୋରଡ଼ା ବାଲିଗୁଚ୍ଛାରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ, ବନ୍ୟା ମୁକାବିଲାକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବର୍ତ୍ତମାନର ସରକାରଙ୍କ ଉପରୁ ଲୋକଙ୍କ ଭରସା ତୁଟିଯାଇଥିବା ବେଳେ ବନ୍ୟା ଓ ବାତ୍ୟାରେ ‘ଜିରୋ କାଜୁଆଲିଟି’ ଦାବି ଫେଲ୍ ମାରିଛି ବୋଲି ସେ ଅଭିଯୋଗ କରିଛନ୍ତି। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ଟିମ୍ ପୂର୍ବରୁ ଗଞ୍ଜାମ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ନବୀନ ବାବୁ ସବୁବେଳେ ଓଡ଼ିଶାବାସୀଙ୍କ ଦୁଃଖସୁଖରେ ସାମିଲ ହୋଇଥାନ୍ତି ବୋଲି ଶ୍ରୀମତୀ ମଲ୍ଲିକ ମତବ୍ୟକ୍ତ କରିଛନ୍ତି।

Comments are closed, but trackbacks and pingbacks are open.