ଲାଞ୍ଚ ନେଇ ଭିଜିଲାନ୍ସରେ ଧରା ପଡ଼ିଲେ ସବ୍‌ରେଜିଷ୍ଟ୍ରାର ମନୀଷା ମିଶ୍ର

5

ବାଲେଶ୍ବର: ଭିଜିଲାନ୍ସ ଜାଲରେ ପଡିଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ର। ଏକ ଜମିର ବିକ୍ରୟ କବଲା ପଞ୍ଜୀକରଣ କରିବା ପାଇଁ ସେ ଜଣେ ଜମି କ୍ରେତାଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ମିିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ଜମିର ପରିମାଣ ୦.୧୪ ଏକର ହୋଇଥିବାବେଳେ ଏହାର କିସମ ‘ବାଜ୍ୟାପ୍ତି ସ୍ଥିତିବାନ’ ଭାବେ ରେକର୍ଡଭୁକ୍ତ ରହିଥିଲା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି କିସମର ଜମିକୁ ସ୍ଥିତିବାନ ଭାବେ ବିବେଚନା କରାଯାଇ ଏହାର ପଞ୍ଜୀକରଣ କରାଯାଇ ପାରିବ। ଏନେଇ ଜମି କ୍ରେତା ବାରମ୍ବାର ସବ୍‌ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ। ବରଂ ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ରାଶିକୁ ୭ ହଜାର ଟଙ୍କାକୁ ହ୍ରାସ କରିଥିଲେ। ଏଥିରେ ଅତିଷ୍ଠ ହୋଇ ଜମି କ୍ରେତା ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଆଜି ସେ ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ଭେଟି ୭ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲା । ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏହା ପରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା। ଏହି ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏହା ସହିତ ସବ୍‌-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

Comments are closed, but trackbacks and pingbacks are open.