ରାଜ୍ୟର ୧୮ତମ ନିଯୁକ୍ତି ମେଳାରେ ୨,୦୬୭ ଜଣଙ୍କୁ ନିଯୁକ୍ତି

36

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକରେ ୨୦୬୭ ଜଣ ସେବକ-ସେବିକା ଓ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମ ଠାରେ ଅନୁଷ୍ଠିତ ୧୮ତମ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଦକ୍ଷତା ବିକାଶ ଏବଂ ନିଯୁକ୍ତି ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରିବା ହେଉଛି ଆମ ସରକାରଙ୍କ ପ୍ରାଥମିକତା। ରାଜ୍ୟ ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଖାଲିଥିବା ସରକାରୀ ପଦପଦବୀ ଗୁଡ଼ିକୁ ପର୍ଯ୍ୟାୟକ୍ରମେ ପୂରଣ କରୁଛନ୍ତି। ୨୦୨୪ ଜୁନ୍ ମାସରୁ ଆରମ୍ଭ ହୋଇଥିବା ଏହି ନିଯୁକ୍ତି ପ୍ରକ୍ରିୟାରେ ଆଜିର ୧୮ତମ ନିଯୁକ୍ତି ମେଳାର ୨,୦୬୭ ଜଣଙ୍କୁ ମିଶାଇ ସମୁଦାୟ ୪୮,୬୪୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଆଜି ୧,୯୧୩ ଜଣ ସେବକ-ସେବିକା ଏବଂ ୧୫୪ ଜଣ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇ ଆଜି ସୁଦ୍ଧା ୨୮, ୬୯୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ କହିଥିଲେ, ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ହୋଇଥିବାରୁ, ସେମାନଙ୍କ ଶିକ୍ଷାଗତ ମାନବୃଦ୍ଧି ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ସ୍ତରରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଓଡ଼ିଶାରେ ସାନ୍ତାଳୀ ସମେତ ୧୦ଟି ଆଦିବାସୀ ଭାଷାରେ ବିଦ୍ୟାଳୟ ସ୍ତରରେ ଶିକ୍ଷାଦାନ କରାଯାଉଛି। ଏହାବ୍ୟତୀତ ଡ୍ରପ୍-ଆଉଟ୍ ହାର ରୋକିବା ପାଇଁ ‘ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ ମାଧ୍ୟମରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ରାଜ୍ୟରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସଂଖ୍ୟା ୬୯କୁ ବୃଦ୍ଧି କରାଯାଇଥିବାବେଳେ ବର୍ଷକୁ ୫୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ‘ବିଦେଶ ଶିକ୍ଷାବୃତ୍ତି ଯୋଜନା’ ମଧ୍ୟ ଆରମ୍ଭ କରାଯାଇଛି।

Comments are closed, but trackbacks and pingbacks are open.