ବନ୍ୟାପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ତଦାରଖ କଲେ ଜିଲ୍ଲାପାଳ

51

ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ରିଲିଫ୍ ଓ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟ ଜୋରଦାର ଜାରି ରହିଛି। ଏହାର ତଦାରଖ ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଶନିବାର ଛତ୍ରପୁର ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ବଉଳଗାଁ ପଞ୍ଚାୟତର ନିମପଲ୍ଲୀ ଓ ବଉଳଗାଁ ଗ୍ରାମରେ ପହଞ୍ଚି ବନ୍ୟାପୀଡ଼ିତଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ବଣ୍ଟନ ବ୍ୟବସ୍ଥା ବୁଝିଥିଲେ। ଖାଦ୍ୟର ମାନ ଓ ପରିଚ୍ଛନ୍ନତା ପରଖିବା ପାଇଁ ସେ ନିଜେ ଲୋକଙ୍କୁ ଖାଦ୍ୟ ପରସିବା ସହ ସେମାନଙ୍କ ସହ ବସି ଖାଦ୍ୟ ଖାଇଥିଲେ ଏବଂ ଲୋକଙ୍କ ସୁବିଧା-ଅସୁବିଧା ପଚାରି ବୁଝିଥିଲେ। ବନ୍ୟାପୀଡ଼ିତଙ୍କୁ ଗୁଣାତ୍ମକ ଖାଦ୍ୟ ଯୋଗାଇଦେବାକୁ ସେ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିଦର୍ଶନ ସମୟରେ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜୀତ ସାହୁ, କନିଷ୍ଠ ଯନ୍ତ୍ରୀ ଆକାଶ ପାତ୍ର, ସରପଞ୍ଚ, ସମିତି ସଭ୍ୟ ଏବଂ ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରିଡ଼ାଙ୍କ ସମେତ ଅନ୍ୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ୩୦ ଜଣ ସିନିୟର ଓଏଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାପାଳ ମଧ୍ୟ ଆଭାସୀ ମାଧ୍ୟମରେ ବିଡିଓ, ତହସିଲଦାର ଓ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗ ରଖି ସମସ୍ତ କାର୍ଯ୍ୟର ସମୀକ୍ଷା କରୁଛନ୍ତି।

Comments are closed, but trackbacks and pingbacks are open.