ବାରଣାସୀ-ଅଯୋଧ୍ୟା ଟ୍ରେନ୍‌ର ଶୁଭାରମ୍ଭ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

37

ଭୁବନେଶ୍ୱର: ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନରୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷର ଷଷ୍ଠ ବାରଣାସୀ-ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ କରାଯାଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ପର୍ଯ୍ୟଟନ ବିଭାଗ ଏବଂ ଆଇଆରସିଟିସିର ମିଳିତ ସହଯୋଗରେ ପରିଚାଳିତ ଏହି ସ୍ୱତନ୍ତ୍ର ଟ୍ରେନରେ ୭୭୫ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଏବଂ ସେମାନଙ୍କର ତଦାରଖ ପାଇଁ ପଚିଶ ଜଣ ଅଧିକାରୀ ଯାତ୍ରା କରିଛନ୍ତି। ଟ୍ରେନର ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜଙ୍କ ପୀଠରୁ କାଶୀ ବିଶ୍ୱନାଥ ଏବଂ ଅଯୋଧ୍ୟା ପୀଠର ରାମଲାଲାଙ୍କ କ୍ଷେତ୍ରକୁ ଯାଉଥିବା ଏହି ତୀର୍ଥଯାତ୍ରା ସମସ୍ତଙ୍କ ପାଇଁ ସଫଳ ଓ ଆନନ୍ଦଦାୟକ ହେଉ। ଏହି ଯାତ୍ରା ମାଧ୍ୟମରେ ବରିଷ୍ଠ ନାଗରିକମାନେ ପବିତ୍ର ଗଙ୍ଗା ଆଳତି, କାଶୀ ବିଶ୍ୱନାଥ ଦର୍ଶନ ସହିତ ପ୍ରଭୁ ଶ୍ରୀରାମଲାଲାଙ୍କ ଦୁର୍ଲଭ ସାନିଦ୍ଧ ଲାଭ କରିବାର ସୌଭାଗ୍ୟ ପାଇବେ। ସୂଚନାଯୋଗ୍ୟ ଯେ ଏହି ତୀର୍ଥଯାତ୍ରୀମାନେ ବାରଣାସୀ ଓ ଅଯୋଧ୍ୟାରେ ବିଭିନ୍ନ ଧାର୍ମିକ ସ୍ଥାନ ପରିଦର୍ଶନ କରିବା ପରେ ଆସନ୍ତା ମାସ ଦୁଇ ତାରିଖରେ ପୁଣି ଓଡ଼ିଶା ଫେରିବେ।

Comments are closed, but trackbacks and pingbacks are open.