ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତିନି ଅଧ୍ୟାପକ-ଅଧ୍ୟାପିକା ନିଲମ୍ବିତ

51

ଭୁବନେଶ୍ୱର: ଯାଜପୁର ସରକାରୀ ପଲିଟେକ୍‌ନିକ୍‌ ପରିସରରେ ଘଟିଥିବା ଏକ ଅତ୍ୟନ୍ତ ଅଶୋଭନୀୟ ଓ ବିଶୃଙ୍ଖଳିତ ଆଚରଣକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି। ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଡ଼ା ନିର୍ଦ୍ଦେଶକ୍ରମେ ସେଠାରେ କାର୍ଯ୍ୟରତ ତିନି ଜଣ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ ହେଲେ ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପିକା ପି. ଆରାଧନା। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୬ ତାରିଖରେ ଅନୁଷ୍ଠିତ ଏକ କାର୍ଯ୍ୟାଳୟ ବୈଠକ ଏବଂ ପରବର୍ତ୍ତୀ ସମୟରେ ଏହି ଅଧ୍ୟାପକମାନେ ପରସ୍ପର ମଧ୍ୟରେ ଉଗ୍ର ଯୁକ୍ତିତର୍କ, ମାର୍‌ପିଟ୍‌ ଏବଂ ଅନ୍ୟାନ୍ୟ ମର୍ଯ୍ୟାଦାହୀନ ତଥା ଶୃଙ୍ଖଳାବିହୀନ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ। ଶିକ୍ଷାଦାନ ଓ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାପନା ଭଳି ଏକ ପବିତ୍ର ଓ ମର୍ଯ୍ୟାଦାଜନକ ବୃତ୍ତିରେ ଅବସ୍ଥାପିତ ଥାଇ ମଧ୍ୟ ସେମାନେ ଏକ ସରକାରୀ ବୈଠକରେ ଏବଂ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏଭଳି ନିନ୍ଦନୀୟ କାଣ୍ଡ ଘଟାଇଥିଲେ। ସେମାନଙ୍କର ଏପରି ଦାୟିତ୍ୱହୀନ ଆଚରଣ ଯୋଗୁଁ କେବଳ ଶିକ୍ଷାନୁଷ୍ଠାନର ଗରିମା ଓ ଭାବମୂର୍ତ୍ତୀ କ୍ଷୁଣ୍ଣ ହୋଇନାହିଁ, ବରଂ ସମଗ୍ର ଅନୁଷ୍ଠାନର ଶୈକ୍ଷିକ ପରିବେଶ ଓ ଶୃଙ୍ଖଳା ଉପରେ ଏକ ଗୁରୁତର ପ୍ରତିକୂଳ ପ୍ରଭାବ ପଡ଼ିଛି। ପ୍ରଶାସନ ପକ୍ଷରୁ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦ୍ୱାରା ଶିକ୍ଷା କ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରାଯିବା ନେଇ କଡ଼ା ବାର୍ତ୍ତା ଦିଆଯାଇଛି।

Comments are closed, but trackbacks and pingbacks are open.