ଭୁବନେଶ୍ୱରରୁ ଏକତା ନଗର ଅଭିମୁଖେ ଗଡ଼ିଲା ସ୍ୱତନ୍ତ୍ର ଟ୍ରେନ୍, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

31

ଭୁବନେଶ୍ବର: ଆସନ୍ତା ଅକ୍ଟୋବର ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେବାକୁ ଯାଉଛି। ଏହି ଅବସରରେ ଗୁଜରାଟର ଏକତା ନଗରସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ୟାରେଡ୍‌ରେ ଯୋଗଦେବା ପାଇଁ ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୧୯ଟି ନକ୍ସଲମୁକ୍ତ ଜିଲ୍ଲାରୁ ପ୍ରାୟ ଏକ ହଜାର ଜଣ ପ୍ରତିନିଧି ଏହି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ପ୍ରତିନିଧିମାନେ ଏକତା ନଗରରେ ଶାନ୍ତି, ସୁରକ୍ଷା ଏବଂ ପ୍ରଗତିର ପ୍ରତୀକ ଭାବେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନିଜର ଅସାଧାରଣ ନେତୃତ୍ୱ ଓ ଦୃଢ଼ ସଂକଳ୍ପ ବଳରେ ସର୍ଦ୍ଦାର ପଟେଲ ଦେଶର ୫୫୦ରୁ ଅଧିକ ଦେଶୀୟ ରାଜ୍ୟକୁ ଏକତ୍ରିତ କରି ଆଜିର ଅଖଣ୍ଡ ଭାରତ ଗଠନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.