୨ କୋଟିରୁ ଊର୍ଦ୍ଧ୍ୱ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ବନ ବିଭାଗର ସିନିୟର ଆସିଷ୍ଟାଣ୍ଟ ଗିରଫ

23

ନୂଆପଡା: ନୂଆପଡ଼ା ଜ଼ିଲ୍ଲା ସୁନାବେଡା ବନ୍ୟ ପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହାୟକ ବବଲୁ ସୁନା ସରକାରୀ ଅର୍ଥ ହଡପ କରିଥିବା ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଥିଲା । ଅଭିଯୋଗ ପରେ ବିଭାଗ ପକ୍ଷରୁ ବିଭାଗୀୟ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ସରକାରୀ ଅର୍ଥ ଆତ୍ମସାତ୍ ଘଟଣାରେ ବବୁଲୁ ସୁନାଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ତାଙ୍କୁ ୬ ମାସ ପୂର୍ବରୁ ବିଭାଗୀୟ ଚାକିରିରୁ ନିଲମ୍ବନ କରାଯାଇଥିଲା । ଏହା ପରେ ସେ ଫେରାର୍ ରହିଥିଲେ । ସୂଚନା ଥାଉ ଯେ, ୨୦୨୩ ମସିହାରୁ ସେ MACP ଏବଂ RACP ସ୍କିମ୍ ଅଧିନରେ ଜାଲ୍ ଏରିୟର ବିଲ୍ ପ୍ରସ୍ତୁତ କରି ପ୍ରାୟ ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ସିନିୟର ଆସିଷ୍ଟାଣ୍ଟ ବବଲୁ ସୁନା ନିଜ ପଦବୀର ଅପବ୍ୟବହାର କରି ପୂର୍ବତନ କର୍ମଚାରୀ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ପରିଚୟ ପତ୍ରରେ ଜାଲ୍ ବିଲ୍ ପ୍ରସ୍ତୁତ କରି ଉକ୍ତ ଟଙ୍କାକୁ ନିଜେ ହଡ଼ପ କରିଥିଲେ । ସେ ଏହି ଟଙ୍କାକୁ ନିଜ ପରିବାରର ଅନ୍ୟ ସଦସ୍ୟ ଏବଂ ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଉଥିଲେ। ସେ ନିଜର ଦରମା ମଧ୍ୟ ବେଆଇନ ଭାବେ ବଢ଼ାଇ ପ୍ରାୟ ୧୦.୫୮ ଲକ୍ଷ ଟଙ୍କା ଅଧିକ ନେଇଥିଲେ । ଗତକାଲି ରାତିରେ ଓଡ଼ିଶା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗୀରରୁ ଅଭିଯୁକ୍ତ ବବଲୁ ସୁନାକୁ ଗିରଫ କରିବାରେ ସଫଳ ହୋଇଛି ।

Comments are closed, but trackbacks and pingbacks are open.