ନୂଆଦିଲ୍ଲୀ: ବିହାରର ସିୱାନ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘରେ ଗଚ୍ଛିତ ହୋଇ ରହିଥିବା ବାଣରେ ହଠାତ୍ ନିଆଁ ଲାଗିଯିବାରୁ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ପ୍ରାଣହାନି ହୋଇଥିବା ସିୱାନ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଏବେ ମଧ୍ୟ କିଛି ବ୍ୟକ୍ତିଙ୍କ ଅବସ୍ଥାକୁ ନେଇ ଅନିଶ୍ଚିତତା ଜାରି ରହିଛି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଘରର ସାମ୍ନା ପାର୍ଶ୍ୱ ସମ୍ପୂର୍ଣ୍ଣ ଭୁଶୁଡ଼ି ରାସ୍ତା ଉପରେ ପଡ଼ିଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଜାମୋ ଥାନା ଅନ୍ତର୍ଗତ ଆଲମାପୁର ଗାଁର ମହମ୍ମଦ ଅମୀରୁଦ୍ଦିନ ମିଆଁଙ୍କ ଘରେ ଏହି ଛାତିଥରା ଘଟଣା ଘଟିଛି। ସେ ଜଣେ ବାଣ ବ୍ୟବସାୟୀ ଥିବା ଏବଂ ତାଙ୍କ ଘରେ ବହୁ ପରିମାଣରେ ବାଣ ଗଚ୍ଛିତ ଥିବା ଜଣାପଡ଼ିଛି। ଘଟଣା ସମୟରେ ଘର ଭିତରେ ପରିବାରର ଅନେକ ସଦସ୍ୟ ଉପସ୍ଥିତ ଥିଲେ। ହଠାତ୍ ବାଣରେ ନିଆଁ ଲାଗିଯିବାରୁ ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ, ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ସବୁଠାରୁ ଚିନ୍ତାଜନକ କଥା ହେଉଛି, ପ୍ରଥମ ବିସ୍ଫୋରଣ ପରେ ମଧ୍ୟ ଘର ଭିତରେ କ୍ରମାଗତ ଭାବେ ଧମାକା ଜାରି ରହିଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିବାରୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା। ଖବର ପାଇବା ପରେ ପୁଲିସ, ଅଗ୍ନିଶମ ବାହିନୀ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତତ୍ପରତାର ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି।
Comments are closed, but trackbacks and pingbacks are open.