ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସମସ୍ତ ସରକାର ଅଧିକାରୀଙ୍କ ଛୁଟି ବାତିଲ୍, ତିନି ଜିଲ୍ଲାକୁ ରେଡ୍ ଆଲର୍ଟ

37

ଭୁବନେଶ୍ବର: ରାଜ୍ୟ ଉପରେ ମାଡ଼ିଆସୁଛି ସାମ୍ଭାବ୍ୟ ବାତ୍ୟାର ବିପଦ। ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଆକ୍ସନ୍ ମୋଡ୍‌ରେ ରହିଛନ୍ତି। ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନକୁ ଆଧାର କରି ଏକ ବ୍ୟାପକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ୨୭ ତାରିଖ ପାଇଁ ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପରିସ୍ଥିତିର ଗମ୍ଭୀରତାକୁ ବିଚାର କରି ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି ଏବଂ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଛୁଟିଦିନରେ ମଧ୍ୟ ସମସ୍ତ କର୍ମଚାରୀ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ରହିବେ। ସେହିପରି ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଆଜି ସକାଳ ସୁଦ୍ଧା ସମୁଦ୍ରରୁ ତୂରନ୍ତ ଫେରିଆସିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ୍ କେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଓଡ୍ରାଫ୍ (ODRAF) ଏବଂ ଏନ୍‌ଡିଆର୍‌ଏଫ୍ (NDRF) ଟିମ୍‌ଗୁଡ଼ିକୁ ମଧ୍ୟ ସଜାଗ ରଖାଯାଇଛି। ବାତ୍ୟାର ଲ୍ୟାଣ୍ଡଫଲ୍ (ସ୍ଥଳଭାଗ ଛୁଇଁବା) ସ୍ଥାନ ନେଇ ଆଇଏମଡି ଏପର୍ଯ୍ୟନ୍ତ ସ୍ପଷ୍ଟ କରିନଥିଲେ ମଧ୍ୟ, ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ାରୁ ଓଡ଼ିଶାର ଗୋପାଳପୁର ମଧ୍ୟରେ ଯେକୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆକଳନ କରାଯାଇଛି। ଏହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଛି।

Comments are closed, but trackbacks and pingbacks are open.