ୱାସିଂଟନ୍: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକା ନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ସହ ଜଡ଼ିତ କେତେକ କଟକଣା ଓ ଶୁଳ୍କ ଲାଗୁ କରିବା ନିଷ୍ପତ୍ତିରୁ ସାମୟିକ ଛାଡ଼ ଦେଇଛନ୍ତି। ଏହି ପଦକ୍ଷେପ ଫଳରେ ରୁଷିଆଠାରୁ ଅଶୋଧିତ ତୈଳ କିଣୁଥିବା ଭାରତ ଓ ଚୀନ୍ ଭଳି ଦେଶଗୁଡ଼ିକୁ ବଡ଼ଧରଣର ଆଶ୍ୱସ୍ତି ମିଳିଛି। ସୂଚନାଯୋଗ୍ୟ ଯେ, ‘ଲିଣ୍ଡସେ ଗ୍ରାହାମ୍’ଙ୍କ ନାମରେ ନାମିତ ନୂତନ ଆମେରିକୀୟ ଆଇନ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଜାରି ରଖିଥିବା ରୁଷିଆ ଉପରେ ଆର୍ଥିକ ଚାପ ବଢ଼ାଇବା ଏହି ଆଇନର ମୂଳ ଉଦ୍ଦେଶ୍ୟ ଥିଲା। ଏହି ଆଇନ ବଳରେ ରୁଷିଆଠାରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଆମଦାନି କରୁଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବା ପାଇଁ ଆମେରିକାର ରାଷ୍ଟ୍ରପତିଙ୍କୁ କ୍ଷମତା ଦିଆଯାଇଛି। ନିୟମ ଅନୁଯାୟୀ, କେତେକ ଦେଶରୁ ଆମେରିକାକୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ସର୍ବାଧିକ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲାଗୁ ହେବାର ସମ୍ଭାବନା ଥିଲା, ଯାହାର ସିଧାସଳଖ ପ୍ରଭାବ ଭାରତ ଓ ଚୀନ୍ ଉପରେ ପଡ଼ିବାର ଆଶଙ୍କା ରହିଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଏହି ଛାଡ଼କୁ ଅତ୍ୟନ୍ତ ଆବଶ୍ୟକ ବୋଲି ଦର୍ଶାଇ ଏକ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିଛନ୍ତି।ତଥାପି, ଏହି ପଦକ୍ଷେପ ଦ୍ୱାରା ସମସ୍ତ କଟକଣା ଓ ଶୁଳ୍କକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇନାହିଁ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ପ୍ରଶାସନ ଆବଶ୍ୟକ ମନେକଲେ ଭବିଷ୍ୟତରେ ପୁଣିଥରେ ଏହି କଟକଣା କଡ଼ାକଡ଼ି କରିପାରେ। ଏହି ନିଷ୍ପତ୍ତି ପଛରେ ଆମେରିକାର ଆଭ୍ୟନ୍ତରୀଣ ଆର୍ଥିକ ସ୍ୱାର୍ଥ ଏବଂ ଅନ୍ୟାନ୍ୟ ରଣନୈତିକ ସମୀକରଣ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଶ୍ୱଷେକମାନେ ମତ ଦେଇଛନ୍ତି।
Comments are closed, but trackbacks and pingbacks are open.