ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ

34

ଭୁବନେଶ୍ୱର: ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ। ଭୁବନେଶ୍ୱର ଏଜି ଛକ ନିକଟରେ ତାଙ୍କ ସରକାରୀ ଗାଡ଼ିରୁ ନଗଦ ଟଙ୍କା ଜବତ ହେବା ପରେ, ଭିଜିଲାନ୍ସ ଟିମ୍ ତାଙ୍କ ଭଡ଼ା ଫ୍ଲାଟ୍ ଏବଂ ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରଖିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏଜି ଛକ ନିକଟରେ ପ୍ରସନ୍ନଜିତ୍ ଦାସଙ୍କ ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡ଼ିକୁ ଭିଜିଲାନ୍ସ ଅଟକାଇ ଯାଞ୍ଚ କରିଥିଲା। ସେହି ଗାଡ଼ିରୁ ନଗଦ ୭ ଲକ୍ଷ ୨୮ ହଜାର ଟଙ୍କା ଜବତ କରାଯାଇଥିଲା। ଟଙ୍କାର ଉତ୍ସ ସମ୍ପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହାପରେ ଆଜି ସକାଳେ ଭୁବନେଶ୍ୱର ଘାଟିକିଆସ୍ଥିତ ତାଙ୍କ ଭଡ଼ା ଫ୍ଲାଟ୍‌ରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେଠାରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ନଗଦ ଜବତ ହୋଇଛି। ଏହିପରି ଭାବରେ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ, ବରଗଡ଼ସ୍ଥିତ ତାଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସର ତଲାସୀ ଅଭିଯାନ ଜାରି ରହିଛି। ବର୍ତ୍ତମାନ ଭିଜିଲାନ୍ସ ତାଙ୍କୁ ଅଟକ ରଖି ପଚରାଉଚରା କରୁଥିବାବେଳେ, ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ଏହି ଦୁର୍ନୀତି ସମ୍ପର୍କରେ ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Comments are closed, but trackbacks and pingbacks are open.