ରାଜପାଲ ଯାଦବଙ୍କୁ ବଡ଼ ଆଶ୍ୱସ୍ତି: ପାସପୋର୍ଟ ଫେରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

25

ନୂଆଦିଲ୍ଲୀ: ଚେକ୍ ବାଉନ୍ସ ମାମଲାରେ ଜଡ଼ିତ ବଲ୍‌ଉଡ୍‌ର ଜଣାଶୁଣା ଅଭିନେତା ରାଜପାଲ ଯାଦବଙ୍କୁ ସର୍ବୋଚ୍ଚ ଅଦାଲତରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏହି ମାମଲାରେ ଉଭୟ ପକ୍ଷକୁ ମଧ୍ୟସ୍ଥତା ଜରିଆରେ ପରସ୍ପର ମଧ୍ୟରେ ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଟ୍ରାଏଲ୍ କୋର୍ଟରେ ଜମା ହୋଇ ରହିଥିବା ଅଭିନେତାଙ୍କ ପାସପୋର୍ଟକୁ ମଧ୍ୟ ଫେରାଇଦେବା ପାଇଁ ଅଦାଲତ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଶୁଣାଣି ସମୟରେ ରାଜପାଲଙ୍କ ଓକିଲ ଅଦାଲତଙ୍କୁ ଅବଗତ କରାଇଥିଲେ ଯେ ଅଭିନେତା ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିଛନ୍ତି। ସେ କୋର୍ଟର ରେଜିଷ୍ଟ୍ରିରେ ମୋଟ ୨ କୋଟି ଟଙ୍କା ଜମା କରିସାରିଛନ୍ତି, ଯେଉଁଥିରୁ ୧ କୋଟି ୧୫ ଲକ୍ଷ ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ଏବଂ ୮୫ ଲକ୍ଷ ଟଙ୍କା RTGS ଜରିଆରେ ଜମା କରାଯାଇଛି। ଅଭିନେତାଙ୍କ ଏପରି ପଦକ୍ଷେପ ଉପରେ ସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟ ଉଭୟ ପକ୍ଷକୁ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ଆପୋଷ ବୁଝାମଣା କରିବାକୁ କହିଛନ୍ତି। ଏଥିପାଇଁ କୋର୍ଟ ଜଣେ ସ୍ୱତନ୍ତ୍ର ମଧ୍ୟସ୍ଥ ନିଯୁକ୍ତ କରିବେ ଏବଂ ଉଭୟ ପକ୍ଷ ନିର୍ଦ୍ଧାରିତ ତାରିଖରେ ତାଙ୍କ ନିକଟରେ ହାଜର ହେବେ। ରାଜପାଲଙ୍କ ବିରୋଧରେ ଚେକ୍ ବାଉନ୍ସ ମାମଲା ଦାଏର କରିଥିବା ‘ମୁରଲୀ ପ୍ରୋଜେକ୍ଟସ୍’ କମ୍ପାନୀର ଓକିଲ ମଧ୍ୟ ଏହି ପ୍ରସ୍ତାବରେ ସହମତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ରାଜପାଲଙ୍କ ଓକିଲ ଅଦାଲତଙ୍କୁ ଜଣାଇଥିଲେ ଯେ ଅଭିନେତା ନିଜର ବୃତ୍ତିଗତ କାମ ତଥା ସୁଟିଂ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ପାସପୋର୍ଟ ଟ୍ରାଏଲ୍ କୋର୍ଟରେ ଜବତ ହୋଇ ରହିଛି। ଏହାକୁ ବିଚାରକୁ ନେଇ ସୁପ୍ରିମକୋର୍ଟ କିଛି ଉପଯୁକ୍ତ ସର୍ତ୍ତ ରଖି ରାଜପାଲଙ୍କ ପାସପୋର୍ଟ ଫେରାଇଦେବାକୁ ଟ୍ରାଏଲ୍ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed, but trackbacks and pingbacks are open.