ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଇୟୁଏସ୍‌-ସ୍ପାଏଗ୍ଲାସ୍ ଟେକ୍ନୋଲୋଜି ସମ୍ପର୍କିତ କର୍ମଶାଳା

19

ଭିନ୍ନ ରାଜ୍ୟରୁ ଆସିଥିବା ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ ମାନଙ୍କ ନିମନ୍ତେ ଅତ୍ୟାଧୁନିକ ସ୍ପାଏଗ୍ଲାସ୍‌-ଡିଏସ୍‌ ଟେକ୍ନୋଲୋଜି ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରବିବାର ଉଦ୍‌ଯାପିତ ହୋଇଯାଇଛି । ପିତବାହିକା, ପିତକୋଷ, ଯକୃତ ଓ ଅଗ୍ନାଶୟ ସମ୍ପର୍କିତ ରୋଗକୁ ଚିହ୍ନଟ କରିବା ସହ ଏହାର ପରୀକ୍ଷା ନିମନ୍ତେ ଅତ୍ୟାଧୁନିକ ସ୍ପାଏଗ୍ଲାସ୍‌-ଡିଏସ୍ ଟେକ୍ନୋଲୋଜି ନୂତନ ଦିଗ ଦେଖାଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ । ମୁଖ୍ୟତଃ ଏହିଭଳି ରୋଗର ପରୀକ୍ଷା ନିମନ୍ତେ ଗ୍ୟାଷ୍ଟ୍ରୋଏନ୍‌ଟେରୋଲାଜିଷ୍ଟ ମାନେ ସିଟି ସ୍କାନ୍ ଏବଂ ଏମ୍‌ଆର୍‌ଆଇ ଉପରେ ନିର୍ଭର କରିଥାନ୍ତି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁବେଳେ ଏଭଳି ରୋଗ ଏସବୁ ପ୍ରକ୍ରିୟାରେ ଚିହ୍ନଟ ହୋଇପାରେ ନାହିଁ ବୋଲି ସେ କହିଛନ୍ତି ।

ସ୍ପାଏଗ୍ଲାସ-ଡିଏସ୍ ଯୋଗୁଁ ବର୍ତମାନ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟମାନେ ରୋଗର ଉତ୍ପତିସ୍ଥଳ ପାଖରେ ସିଧାସଳଖ ପହଂଚିବା ସହ ଏହାର ପରୀକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାରେ ସଫଳ ହୋଇପାରୁଛନ୍ତି ବୋଲି କହିବା ସହ ଏହି ଟେକ୍ନୋଲୋଜି ଦ୍ୱାରା ପିତକୋଷରେ ସୃଷ୍ଟି ହେଉଥିବା ଯେକୌଣସି ଆକାରର ଷ୍ଟୋନ୍‌ଗୁଡ଼ିକୁ ଗୁଣ୍ଡ କରି ନଷ୍ଟ କରିବାରେ ସଫଳ ହୋଇପାରୁଛି ଏବଂ ପ୍ରାରମ୍ଭିକ ସ୍ତରରେ ଥିବା କ୍ୟାନ୍ସର, ଯକ୍ଷ୍ମା, ଲିମ୍ଫୋମା ଏବଂ ଅଟୋଇମ୍ୟୁନ୍ ରୋଗଗୁଡ଼ିକର ଚିକିତ୍ସା କରିବାରେ ସହାୟକ ହୋଇପାରୁଛି ବୋଲି ଡାକ୍ତର ସାହୁ କହିଛନ୍ତି ।

ଡାକ୍ତର ସାହୁ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିସିନ୍‌, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଏହି ସ୍ପାଏଗ୍ଲାସ୍‌- ଡିଏସ୍ ଟେକ୍ନୋଲୋଜି ୬ ବର୍ଷ ପୂର୍ବେ ଆରମ୍ଭ କରାଯିବା ସହ ରୋଗୀମାନଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରଦାନ କରାଯାଉଛି । ଦେଶର ବିଭିନ୍ନ ପ୍ରାନ୍ତର ଡାକ୍ତରମାନଙ୍କୁ ନୂଆ ଟେକ୍ନୋଲୋଜି ସମ୍ବନ୍ଧରେ ପ୍ରଶିକ୍ଷିତ କରାଇବା ସହ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ସମ୍ ହସ୍ପିଟାଲ୍‌ର ଲକ୍ଷ୍ୟ ରହିଥିବାରୁ ସେହି ଉଦ୍ଦେଶ୍ୟରେ ଏହି ଇୟୁଏସ୍‌-ସ୍ପାଏଗ୍ଲାସ କର୍ମଶାଳାର ଆୟୋଜନ କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.