ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ କେନ୍ଦ୍ରର ସବୁଜ ସଙ୍କେତ:ଜଗନ୍ନାଥବଲ୍ଲଭ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର

26

ପୁରୀ: ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲିଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତିକ ବିମାନବନ୍ଦର ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଚୂଡ଼ାନ୍ତ ପରିବେଶ ମଞ୍ଜୁରୀ ସହ ଉପକୂଳ ନିୟାମକ କ୍ଷେତ୍ର (ସିଆରଜେଡ୍‌) କ୍ଲିୟରାନ୍ସ ପ୍ରଦାନ କରାଯାଇଛି। କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ, ଓଡ଼ିଶା ଉପକୂଳ କ୍ଷେତ୍ର ପରିଚାଳନା କର୍ତ୍ତୃପକ୍ଷ ଓ ଜଙ୍ଗଲ ବିଭାଗରୁ ଆବଶ୍ୟକ ସମସ୍ତ ବୈଧାନିକ କ୍ଲିୟରାନ୍ସ ମିଳିସାରିଥିବାରୁ ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମୋଡରେ ଖୁବ୍‌ଶୀଘ୍ର ଏହି ବିମାନବନ୍ଦରର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରାୟ ୨୨୦୩ କୋଟି ଟଙ୍କାର ବ୍ୟୟରେ ୪୭୧.୩୪୮ ହେକ୍ଟର(ପ୍ରାୟ ୧୧୬୪.୭୨ଏକର) ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଏହି ବିମାନବନ୍ଦର ରାଜ୍ୟର ପର୍ଯ୍ୟଟନ, ଅର୍ଥନୀତି ତଥା ରୋଜଗାର କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରକୁ ବିଶ୍ୱର ଅନ୍ୟ ଭାଗ ସହ ସିଧାସଳଖ ଆକାଶମାର୍ଗରେ ଯୋଡ଼ିବ। କେନ୍ଦ୍ର ସରକାରଙ୍କ ଏକ୍ସପର୍ଟ ଆପ୍ରାଇଜାଲ୍ କମିଟି (ଇଏସି)ର ବିସ୍ତୃତ ସମୀକ୍ଷା ଓ ସୁପାରିସ ଆଧାରରେ ପରିବେଶ ଓ ସିଆରଜେଡ୍ କ୍ଲିଅରାନ୍ସ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନ ଅବଢ଼ା ଯୋଜନା ଅଧିନରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହା ଦ୍ୱାରା ପ୍ରକଳ୍ପ ପାଇଁ ପୂର୍ବ ଅପେକ୍ଷା ଅଧିକ ୧୦୦.୮୩ କୋଟି ଟଙ୍କା ବିନିଯୋଗ ହେବ। ଏହି ଅର୍ଥ ମଞ୍ଜୁର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ଯେତେ ଅର୍ଥ ଆବଶ୍ୟକ ନିଶ୍ଚୟ ଦିଆଯିବ। ଏଥିପାଇଁ ଅର୍ଥର ଅଭାବ ହେବ ନାହିଁ।

Comments are closed, but trackbacks and pingbacks are open.