ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ DEO ଅଫିସ୍ ପ୍ରୋଗ୍ରାମର

48

ଭୁବନେଶ୍ବର: ସ୍କୁଲରେ ଡିଜିଟାଲ ବ୍ଲାକ୍‌ବୋର୍ଡ ସ୍ଥାପନ କାର୍ଯ୍ୟର ବକେୟା ବିଲ୍‌ ପାସ୍‌ କରାଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ (DEO) ତଥା ସମଗ୍ର ଶିକ୍ଷା ଅଭିଯାନ (SSA) କାର୍ଯ୍ୟାଳୟର ପ୍ରୋଗ୍ରାମର ଚନ୍ଦ୍ରଜିତ ପରିଜା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍‌ ଶ୍ରୀ ପରିଜାଙ୍କୁ ରଙ୍ଗେହାତ ଗିରଫ କରିବା ସହ ତାଙ୍କ ନିକଟରୁ ଲାଞ୍ଚ ଅର୍ଥ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଡିଜିଟାଲ ବ୍ଲାକ୍‌ବୋର୍ଡ ସ୍ଥାପନ କାର୍ଯ୍ୟ କରିଥିବା ଜଣେ ଠିକାଦାର (ଅଭିଯୋଗକାରୀ)ଙ୍କ ବାକି ଥିବା ବିଲ୍‌ ପାସ୍‌ କରିବା ପାଇଁ ପ୍ରୋଗ୍ରାମର ଶ୍ରୀ ପରିଜା ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ ଅଭିଯୋଗକାରୀ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଶ୍ରୀ ପରିଜା କାର୍ଯ୍ୟ ଯାଞ୍ଚ ନକରି ଲାଞ୍ଚ ଟଙ୍କା ପାଇଁ ହଇରାଣ ହରକତ କରିଆସୁଥିଲେ। ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ଯୋଜନା ଅନୁଯାୟୀ, ଆଜି ଅଭିଯୋଗକାରୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଟିମ୍ ଶ୍ରୀ ପରିଜାଙ୍କୁ ଧରିଥିଲେ। ଏହି ଘଟଣାରେ କଟକ ଭିଜିଲାନ୍ସ ଶ୍ରୀ ପରିଜାଙ୍କ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ସାଙ୍ଗେ ସାଙ୍ଗେ ସ୍ୱତନ୍ତ୍ର ଟିମ୍ ଦ୍ୱାରା ତାଙ୍କ ସହ ଜଡ଼ିତ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ସମାନ୍ତରାଳ ଚଢ଼ାଉ ଜାରି ରଖିଛନ୍ତି। କେସ୍‌ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

Comments are closed, but trackbacks and pingbacks are open.