ପ୍ରଧାନମନ୍ତ୍ରୀ ଙ୍କ ‘ଚିନ୍ତନ ଶିବିର’ : ୭୭ ଜଣ ମନ୍ତ୍ରୀଙ୍କୁ ୮ଟି ଗ୍ରୁପରେ ବିଭକ୍ତ କରାଗଲା

121

ଶାସନ କ୍ଷେତ୍ରରେ ଦକ୍ଷତା ଓ ସ୍ୱଚ୍ଛତାକୁ ଅଧିକ ସୁଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଥିବା ୭୭ ଜଣଙ୍କ ସଦସ୍ୟଙ୍କୁ ସେ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଚିନ୍ତନ ଶିବିରରେ ଏହି ଏସବୁ ବିଷୟରେ ନିଷ୍ପତ୍ତି ନିଆଯାଇଛି I ଟେକ୍ନୋଲୋଜି ଭିତ୍ତିକ ଉତ୍ସଗୁଡ଼ିକର ବିକାଶ ଓ ପ୍ରଫେସନାଲ ମାନଙ୍କର ଏକ ଟିମ ଗଠନ କରି ସେମାନଙ୍କୁ ନିଜ ସହ ସାମିଲ କରିବାକୁ ମୋଦି କହିଛନ୍ତି।ପ୍ରଧାନ ମନ୍ତ୍ରୀ ମୋଦି ଙ୍କର ଏହି ଚିନ୍ତନ ବୈଠକ ପ୍ରାୟ ପାଞ୍ଚ ଘଣ୍ଟା ଲେଖାଏ ମୋଟ ଉପରେ ୫ ଥର ଚାଲିଥିଲା I
ଏହାପରେ ପ୍ରତ୍ୟେକ ବୈଠକରେ ବ୍ୟକ୍ତିଗତ ଦକ୍ଷତା, ମନ୍ତ୍ରଣାଳୟର ଅଂଶୀଦାରଙ୍କ ଯୋଗଦାନ, ପାର୍ଟି ସମନ୍ୱୟ, ଉନ୍ନତ ଯୋଗାଯୋଗ ଏବଂ ସଂସଦୀୟ ଅଭ୍ୟାସ ଉପରେ ଆଲୋଚନା କରାଯାଇଥିଲା। ଶେଷ ବୈଠକରେ ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ମଧ୍ୟ ଯୋଗ ଦେଇଥିଲେ। ଉଭୟ ଗୃହରେ ମନ୍ତ୍ରୀମାନଙ୍କ ଭୂମିକା କିପରି ପ୍ରଭାବଶାଳୀ ହୋଇପାରିବ ସେ ବିଷୟରେ କହିଥିଲେ।
ଏହି ଚିନ୍ତନ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦକ୍ଷତା ବୃଦ୍ଧି କରିବା ଓ ମୋଦି ସରକାରଙ୍କ ଯୋଜନାକୁ ସୂଚାର ରୂପେ ଲୋକଙ୍କ ପାଖରେ ପହଞ୍ଚାଇବା। ଏଥିସହ ଶାସନ ବ୍ୟବସ୍ଥାରରେ ଅଧିକ ଉନ୍ନତି ଆଣିବା ପାଇଁ ହିଁ ମନ୍ତ୍ରୀମାନଙ୍କୁ ଗ୍ରୁପରେ ବିଭକ୍ତ କରାଯାଇଛି। ୭୭ ଜଣ ମନ୍ତ୍ରୀଙ୍କୁ ୮ଟି ଗ୍ରୁପ୍‌ରେ ବିଭକ୍ତ କରାଯିବାର ଅର୍ଥ ପ୍ରତି ଟିମ୍‌ରେ ୯ରୁ ୧୦ ଜଣ ମନ୍ତ୍ରୀ ରହିଛନ୍ତି। ସମସ୍ତେ ମିଳିତ ଭାବେ ଉତ୍ତମ ଶାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବେ। ପ୍ରତି ଗ୍ରୁପରେ ଜଣେ ମନ୍ତ୍ରୀ ସଂଯୋଜକ ଭାବେ କାର୍ଯ୍ୟ କରିବେ।
ଏହି ଗ୍ରୁପ ଗୁଡ଼ିକ ପ୍ରତ୍ୟେକ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ପୋର୍ଟାଲ୍ ବିକଶିତ କରିବେ ଯାହା ସରକାରଙ୍କ ଫ୍ଲାଗଶିପ୍ ସ୍କିମ୍ ଓ ନୀତିଗୁଡ଼ିକର କାର୍ଯ୍ୟଦକ୍ଷତା ଉପରେ ଅପଡେଟ ଦେବ। ସଂପୃକ୍ତ ମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ନଜର ରଖିବା ପାଇଁ ଏକ ଡ୍ୟାସବୋର୍ଡ ରହିବ। ଗ୍ରୁପ ଗୁଡ଼ିକୁ ହିତାଧିକାରୀ ଯୋଗଦାନ କାର୍ଯ୍ୟକ୍ରମକୁ ବିକଶିତ କରିବା ସହ ସମସ୍ତ ରାଜ୍ୟ, ଜିଲ୍ଲା ଓ ମନ୍ତ୍ରଣାଳୟର ପ୍ରୋଫାଇଲ୍ ତିଆରି କରିବାକୁ କୁହାଯାଇଛି।
ଗୋଟିଏ ଗ୍ରୁପକୁ ଯୋଗାଯୋଗ, ଅନୁସନ୍ଧାନ ଓ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ଉପରେ ଭଲ ଦକ୍ଷତା ରଖିଥିବା ତିନି ଜଣ ଯୁବ ପ୍ରତିଭାଙ୍କୁ ନେଇ ଗୋଟିଏ ଟିମ ଗଠନ ପାଇଁ ଦାୟିତ୍ୱ ଦିଆଯାଇଛି। ଅନ୍ୟ ଏକ ଗ୍ରୁପ ଅବସରପ୍ରାପ୍ତ କର୍ମଚାରୀଙ୍କ ଅଭିଜ୍ଞତା ଓ ମତାମତକୁ ନେଇ ଏକ ପୋର୍ଟାଲ୍ ବିକଶିତ କରିବେ।
ଗ୍ରୁପର ସଂଯୋଗ ଭାବେ କାର୍ଯ୍ୟ କରିବାକୁ ଥିବା କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ହରଦୀପ ସିଂହ ପୁରୀ, ନରେନ୍ଦ୍ର ସିଂହ ତୋମାର, ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ ଓ ଅନୁରାଗ ଠାକୁର ପ୍ରମୁଖ ରହିଛନ୍ତି। ଏହି ମନ୍ତ୍ରୀମାନେ ସେମାନଙ୍କର ଅନ୍ୟ କ୍ୟାବିନେଟ ସହକର୍ମୀଙ୍କ ସହ ମିଳିତ ଭାବେ ସବୁ ନିଷ୍ପତ୍ତି ନେବେ। ଏହାଦ୍ୱାରା ଶାସନ ବ୍ୟବସ୍ଥାରେ ଅଧିକ ସୁଧାର ଆସିବା ସହ କାର୍ଯ୍ୟ କରିବାରେ ମନ୍ତ୍ରୀମାନେ ଅଧିକ ସହଜ ଅନୁଭବ କରିବେ।
ଗ୍ରୁପରେ ଥିବା ମନ୍ତ୍ରୀମାନେ ପରସ୍ପର ସହ ଅଧିକ ସମୟ ବିତାଇବେ। ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଭଲ ବୁଝାମଣା ହୋଇପାରିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଟିଫିନ ବୈଠକର ଉଦାହରଣ ଦେଇଛନ୍ତି। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦି ଏପରି ବୈଠକ କରୁଥିଲେ। ମନ୍ତ୍ରୀମାନେ ସେମାନଙ୍କ ଘରୁ ଟିଫିନ ଆଣିବା ସହ ପରସ୍ପର ସହ ମିଶି ଖାଉଥିଲେ। ଏହି ସମୟରେ ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା ହେଉଥିଲା। ତେଣୁ ଏବେ ଦିଲ୍ଲୀରେ ମଧ୍ୟ ସମାନ ପଦକ୍ଷେପ ନେବାକୁ ସେ ମନ୍ତ୍ରୀମାନଙ୍କୁ କହିଛନ୍ତି।

Leave A Reply

Your email address will not be published.