ୱାସିଂଟନ: ଆମେରିକାର ମାସାଚୁସେଟ୍ସରେ କ୍ୟାଥୋଲିକ୍ ଚର୍ଚ୍ଚର ୨୭୦ ରୁ ଅଧିକ ପାଦ୍ରୀଙ୍କ ବିରୋଧରେ ପିଲାମାନଙ୍କୁ ଯୌନ ନିର୍ଯାତନା ଦେବାର ଅଭିଯୋଗ ହୋଇଛି| ରିପୋର୍ଟ ଅନୁସାରେ, ଫଲ୍ ରିଭର, ସ୍ପ୍ରିଙ୍ଗଫିଲ୍ଡ ଓ ୱର୍ସେଷ୍ଟରର କ୍ୟାଥୋଲିକ୍ ଡାୟୋସିସ୍ରେ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ଏଭଳି ଅଭିଯୋଗ ଓ ଘଟଣା ସାମ୍ନାକୁ ଆସିଥିଲା । ଏଥିରେ ପ୍ରାୟ ୧୦୦୦ ପିଲା ପ୍ରଭାବିତ ହୋଇଥିବା ତଦନ୍ତରେ ଜଣ ପଡିଛି । ଅଧିକାଂଶ ଅଭିଯୋଗିତ ନିର୍ଯାତନା ୨୦୦୨ ପୂର୍ବରୁ ଘଟିଥିଲା । ସେହି ବର୍ଷ ଆମେରିକାର ‘ବୋଷ୍ଟନ ଗ୍ଲୋବ’ ଖବରକାଗଜ ଏକ ବିସ୍ତୃତ ତଦନ୍ତମୂଳକ ରିପୋର୍ଟ ପ୍ରକାଶ କରିଥିଲା । ସେଥିରେ ବୋଷ୍ଟନର ରୋମାନ୍ କ୍ୟାଥୋଲିକ୍ ଆର୍ଚଡାୟୋସିସ୍ର ଅଧିକାରୀମାନେ ପାଦ୍ରୀମାନଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗକୁ କିପରି ପରିଚାଳନା ଓ ଲୁଚାଇଥିବାର ଅଭିଯୋଗ ଉଠାଇଥିଲା । ଏହି ଖବର ପ୍ରକାଶ ପରେ ମାମଲାକୁ ନେଇ ବ୍ୟାପକ ତଦନ୍ତ ଆରମ୍ଭ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ମାସାଚୁସେଟ୍ସ ସଂସଦସଭା ୨୦୦୨ରେ ଅନେକ ସଂସ୍କାର ପ୍ରଣୟନ କରିଥିଲା। ନୂଆ ତଦନ୍ତ ରିପୋର୍ଟ ପ୍ରକାଶ ପରେ ଏଭଳି ଘଟଣା ପୁଣିଥରେ ଚର୍ଚ୍ଚାକୁ ଆସିଛି ।
Comments are closed, but trackbacks and pingbacks are open.