ନବନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ: ରାଜଧାନୀରେ ଆଂଶିକ ପ୍ରଭାବ

53

ଭୁବନେଶ୍ବର: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆହୂତ ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ସଂଗଠନ ପକ୍ଷରୁ ସାଧାରଣ ଜନତାଙ୍କୁ ନିବେଦନ କରାଯାଇଛି। ବନ୍ଦ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ପାଇଁ ପ୍ରାୟ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧୫ ଜଣ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଅନ୍ୟପଟେ ରାଜଧାନୀରେ ଯାନବାହନ ଚଳାଚଳ ମୋଟାମୋଟି ସ୍ୱାଭାବିକ ରହିଛି। ରସୁଲଗଡ଼, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବ ବିହାର, ସିଆରପି, ଫାୟାର ଷ୍ଟେସନ, କିଟ୍ ଛକ, ଡମଣା ଓ ପଟିଆ ଆଦି ସ୍ଥାନରେ ବସ୍, ଆମ ବସ୍, ଅଟୋ ଏବଂ ବାଇକ୍ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ତେବେ ସକାଳ ପ୍ରାୟ ୭ଟା ବେଳେ ବାରମୁଣ୍ଡା ନିକଟରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିବାରୁ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା।

Comments are closed, but trackbacks and pingbacks are open.