ବହି ତ୍ରୁଟି ପ୍ରସଙ୍ଗରେ PMOର ହସ୍ତକ୍ଷେପ, ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ

17

ନୂଆଦିଲ୍ଲୀ: ଗଣଶିକ୍ଷା ବିଭାଗକୁ ବହି ତ୍ରୁଟି ପ୍ରସଙ୍ଗରେ ସବିଶେଷ ତଥ୍ୟ ଦେବାକୁ PMOର ନିର୍ଦ୍ଦେଶ। ଓଡ଼ିଶାରେ ପାଠ୍ୟପୁସ୍ତକରେ ତ୍ରୁଟି ଓ ବହି ଛପାରେ ଅନିୟମିତତା ଅଭିଯୋଗକୁ ନେଇ ହସ୍ତକ୍ଷେପ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଓ ଛପା ସମ୍ପର୍କିତ ଅନିୟମିତତାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ପିଏମ୍‌ଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କାହିଁକି, କେମିତି, କେତେ ଖର୍ଚ୍ଚ ହୋଇଛି ଓ କିଏ କିଏ ସାମିଲ୍ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗକୁ ଏହାର ଜବାବ ମାଗିଛି । ପାଠ୍ୟପୁସ୍ତକ ଛପା ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଦୁର୍ନୀତି, ଆର୍ଥିକ ଅନିୟମିତତା ଏବଂ ତ୍ରୁଟିପୂର୍ଣ୍ଣ ପୁସ୍ତକ ବଣ୍ଟନ ଭଳି ଗମ୍ଭୀର ଅଭିଯୋଗ ଉପରେ ତୁରନ୍ତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପିଏମ୍‌ଓ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ଏହାର ତଦନ୍ତ କରିବାକୁ କୁହାଯାଇଛି । ଏହାପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଓଡ଼ିଶା ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୋଟ ୧,୭୪୧ଟି ତ୍ରୁଟି ଦେଖିବାକୁ ମିଳିଛି । ଏହି ପୁସ୍ତକ ଗୁଡ଼ିକର ଛପା ଏବଂ ପ୍ରକାଶନ ପାଇଁ ସରକାର ୧୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ।

Comments are closed, but trackbacks and pingbacks are open.