ଇ -ଚାଲାଣ ନଦେଲେ ବିଜୁଳି ବିଲ୍ ସହ ଯୋଡ଼ିଦିଅ:ସୁପ୍ରିମକୋର୍ଟଙ୍କ ପରାମର୍ଶ

18

ନୂଆଦିଲ୍ଲୀ: ଇ-ଚାଲାଣ ବାବଦକୁ ବକେୟା ଥିବା ପ୍ରାୟ ୨୦,୦୦୦ କୋଟି ଟଙ୍କାର ଜରିମାନା ଆଦାୟ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଟ୍ରାଫିକ୍ ଚାଲାଣକୁ ବିଜୁଳି ବିଲ୍ ସହିତ ଯୋଡ଼ିବା କଥା ବିଚାର କରିବା ଦରକାର । ଇ-ଚାଲାଣ ଜରିମାନା ଆଦାୟ ସମ୍ପର୍କିତ ଆବେଦନର ଶୁଣାଣି କରି ଜଷ୍ଟିସ୍ ଜେ.ବି.ପାରଦୀୱାଲା ଏବଂ ଜଷ୍ଟିସ୍ କେ.ଭି.ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ପରାମର୍ଶ ଦେଇଛନ୍ତି । ଜଷ୍ଟିସ୍ ପାରଦୀୱାଲା କହିଛନ୍ତି ଯେ କେବଳ ଇ-ଚାଲାଣ କାଟିବାରେ ସୀମିତ ନ ରହି ଅଧିକାରୀ ଜରିମାନା ଆଦାୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ । ସେ କହିଛନ୍ତି, “କେବଳ ଇ-ଚାଲାଣ କାଟି ଚାଲିବା ଯଥେଷ୍ଟ ନୁହେଁ । ପୋଲିସ ଏମିତି ହଜାର ହଜାର ଓ ଲକ୍ଷ ଲକ୍ଷ ଇ-ଚାଲାଣ ଜାରି କରିପାରିବ । ପ୍ରକୃତ ପ୍ରଶ୍ନ ହେଉଛି ଇ-ଚାଲାଣ ମାଧ୍ୟମରେ ଲଗାଯାଇଥିବା ଜରିମାନା କିପରି ଆଦାୟ କରାଯିବ ।” ବିପୁଳ ସଂଖ୍ୟାରେ ଟ୍ରାଫିକ୍ ଚାଲାଣ ଜାରି କରାଯାଉଥିଲେ ସୁଦ୍ଧା ଜରିମାନା ଆଦାୟ ବହୁତ କମ୍ ହେଉଥିବା ବିଷୟରେ ଖଣ୍ଡପୀଠଙ୍କୁ ଜଣାଯାଇଥିଲା । ଏହା ଉପରେ ଖଣ୍ଡପୀଠ କହିଛନ୍ତି, “ଯଦି ଲୋକମାନେ ଟ୍ରାଫିକ୍ ଚାଲାଣ ପୈଠ କରୁନାହାନ୍ତି, ତେବେ ଏହାକୁ ସେମାନଙ୍କର ବିଜୁଳି ବିଲ୍ ସହିତ ଯୋଡ଼ିଦିଅନ୍ତୁ । ସେମାନଙ୍କୁ ବିଜୁଳି ବିଲ୍ ଦେବାକୁ ହିଁ ପଡ଼ିବ, ନଚେତ୍ ବିଜୁଳି ସଂଯୋଗ କାଟି ଦିଆଯିବ । ଏହା ଉପରେ କାର୍ଯ୍ୟ କରନ୍ତୁ । ଆପଣଙ୍କୁ କିଛି ନା କିଛି ବାଟ ବାହାର କରିବାକୁ ପଡ଼ିବ ।” ଅର୍ଥାତ୍ ଯଦି ଅଧିକାରୀମାନେ ଏହି ଯୋଜନା ଉପରେ କାର୍ଯ୍ୟ କରନ୍ତି ଏବଂ ବାକି ଚାଲାଣକୁ ବିଜୁଳି ବିଲ୍ ସହିତ ଯୋଡ଼ନ୍ତି, ତେବେ କଳାତାଲିକାଭୁକ୍ତ ଲୋକଙ୍କ ବିଜୁଳି ବିଲ୍ ବୃଦ୍ଧି ପାଇବ । ସେମାନଙ୍କୁ ସେହି ଅର୍ଥ ଭରିବାକୁ ପଡ଼ିବ । ନଚେତ୍ ସେମାନଙ୍କ ବିଜୁଳି ସଂଯୋଗ କାଟି ଦିଆଯିବ ।

Comments are closed, but trackbacks and pingbacks are open.