ଅଶୋକ ସିଂଘଲ ଜୀ ଥିଲେ ସନାତନ ସମାଜର ‘ଅଗ୍ରଣୀ ସେନାପତି’- ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର, ୨୭ ସେପ୍ଟେମ୍ବର ୨୦୨୬ – ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ପୁରୋଧା ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅନ୍ତର୍ଜାତୀୟ ଅଧ୍ୟକ୍ଷ ସ୍ୱର୍ଗତ ଅଶୋକ ସିଂଘଲ ଜୀ ସନାତନ ସମାଜର ଅଗ୍ରଣୀ ସେନାପତି ଥିଲେ । ସେ ନ ଥିଲେ ଭବ୍ୟ ରାମ ମନ୍ଦିରର ସ୍ୱପ୍ନ ସାକାର ହୋଇପାରିନଥାନ୍ତା ବୋଲି କହିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରବିବାର ସମ୍ବଲପୁରରେ ବିଶ୍ୱ ହିନ୍ଦୁ ପରିଷଦ, ଓଡ଼ିଶା (ପଶ୍ଚିମ) ଦ୍ୱାରା ଆୟୋଜିତ ଅଶୋକ ସିଂଘଲ ଜୀଙ୍କ ଜନ୍ମ ଶତାବ୍ଦୀ ଉଦ୍ଘାଟନୀ ସମାରୋହରେ ସାମିଲ ହୋଇ ଶ୍ରୀ ପ୍ରଧାନ ତାଙ୍କର ସ୍ମୃତିଚାରଣ କରି କୃତଜ୍ଞ ସମାଜ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସଭାକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୀନାକ୍ଷୀପୁରମ୍ର ଧର୍ମାନ୍ତରଣ ଘଟଣା ପରେ ଦେଶବ୍ୟାପୀ ଯେଉଁ ମହା ଆନ୍ଦୋଳନ ସୃଷ୍ଟି ହୋଇଥିଲା, ତାହା ଶେଷରେ ଏକ ନିର୍ଣ୍ଣାୟକ ମୋଡ଼ ନେଇଥିଲା। ଶ୍ରୀରାମ ଜନ୍ମଭୂମିରେ ଅନ୍ୟ ଏକ ଢାଞ୍ଚାକୁ ସମାଜ ବାଧ୍ୟ ହୋଇ ସହ୍ୟ କରୁଥିଲା। ସେହି ସମୟରେ ନେତୃତ୍ୱ ନେଇ ସୈନ୍ୟ ଶକ୍ତି ଓ ଜନଜାଗରଣ ତିଆରି କରିବାରେ ଜଣେ ଅଗ୍ରଣୀ ‘ସନ୍ନ୍ୟାସୀ ସେନାପତି’ ଥିଲେ ଅଶୋକ ସିଂଘଲ ଜୀ। ସେ ଯଦି ନଥାନ୍ତେ, ତେବେ ଆଜି ପବିତ୍ର ରାମଜନ୍ମଭୂମିରେ ଶ୍ରୀରାମଚନ୍ଦ୍ରଙ୍କର ଏହି ଭବ୍ୟ ମନ୍ଦିର ନିର୍ମାଣ ହୋଇପାରିଥାନ୍ତା କି ନାହିଁ, ତାହା ଆଜି ଇତିହାସର ସମୀକ୍ଷାର ବିଷୟ।ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ଅଶୋକ ସିଂଘଲ ଜୀଙ୍କ ଜୀବନ ତିଳ ତିଳ କରି ସମର୍ପିତ ଥିଲା। କେବଳ ମନ୍ଦିର ନିର୍ମାଣ ନୁହେଁ, ମନ୍ଦିର ନିର୍ମାଣ ନାଁରେ ସମଗ୍ର ରାଷ୍ଟ୍ରକୁ ଏକତ୍ରିତ, ସଂଗଠିତ, ସ୍ୱାଭିମାନୀ ଓ ସାହସୀ କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା। ଯେତେବେଳେ ଉତ୍ତର ପ୍ରଦେଶର ଶାସକମାନେ ‘ପରିନ୍ଦା ଭି ପର ମାର୍ ନହିଁ ସକତା’ ଭଳି ଦମ୍ଭ ଦେଖାଉଥିଲେ, ସେତେବେଳେ ଅଶୋକ ସିଂଘଲ ଜୀ ନିଜେ ମୁଣ୍ଡରେ ଲାଠି ଖାଇ, ରକ୍ତ ଝରେଇ ଯୁବସମାଜକୁ ପ୍ରେରିତ କରିଥିଲେ ।ନିଜର ଏକ ପୁରୁଣା ସାର୍ବଜନୀନ ବ୍ୟକ୍ତିଗତ ଅନୁଭୂତି ମନେପକାଇ କହିଛନ୍ତି ଯେ, ଅଟଳ ଜୀଙ୍କ ସରକାର ସମୟରେ ଉତ୍ତରାଖଣ୍ଡରେ ଗଙ୍ଗାର ଅବିରଳ ଧାରା ବାଧାପ୍ରାପ୍ତ ହେବା ଭୟରେ ହାଇଡ୍ରୋ ପ୍ରୋଜେକ୍ଟ ନିର୍ମାଣକୁ ବିରୋଧ କରିବା ପାଇଁ ଅଶୋକ ସିଂଘଲ ଜୀ ନିଜର ମାନ, ମର୍ଯ୍ୟାଦା, ପ୍ରତିଷ୍ଠା ଓ ପଦର ଖାତିର ନକରି ସାଧାରଣ ଭାବେ ତତ୍କାଳୀନ କେନ୍ଦ୍ରୀୟ ବିଦ୍ୟୁତ୍ ମନ୍ତ୍ରୀଙ୍କ ପାଖରେ ବିନମ୍ର ନିବେଦନ କରୁଥିଲେ। ତାଙ୍କ ପାଇଁ ସମାଜ ଓ ରାଷ୍ଟ୍ରର ହିତ ସବୁକିଛି ଥିଲା।ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅଶୋକ ସିଂଘଲ ଜୀ କେବଳ ବିଶ୍ୱ ହିନ୍ଦୁ ପରିଷଦର ଅଧିକାରୀ କିମ୍ବା ଆରଏସ୍ଏସ୍ର ପ୍ରଚାରକ ନଥିଲେ, ବରଂ ଭାରତର ସବୁ ସାଧୁ, ସନ୍ଥ, ସନ୍ନ୍ୟାସୀ ଓ ଶଙ୍କରାଚାର୍ଯ୍ୟ ପୀଠଗୁଡ଼ିକୁ ଏକାଠି କରିବା ସହ ସମାଜ ବିରୋଧୀ ତତ୍ତ୍ୱଙ୍କ ମନରେ ଭୟ ତିଆରି କରିଥିବା ସମଗ୍ର ସନାତନ ସମାଜର ପ୍ରେରକ ବ୍ୟକ୍ତିତ୍ୱ ଥିଲେ। ଆଜି ବି ସନାତନ ପରମ୍ପରା, ହିନ୍ଦୁ ସଭ୍ୟତା ଓ ସମାଜ ଆଗରେ ଅନେକ ଆହ୍ୱାନ ଓ ଦ୍ୱନ୍ଦ୍ୱ ରହିଛି । ଏହି ଜାଗ୍ରତ ସମାଜରେ ମହାପୁରୁଷଙ୍କ ବାଣୀକୁ ମନେ ପକାଇ ତାଙ୍କ ବିଚାରଧାରାରେ ଏକ ସଶକ୍ତ ଓ ଜାଗ୍ରତ ସମାଜ ଗଠନ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସାଂସଦ ଶ୍ରୀ ପ୍ରଧାନ କହିଥିଲେ ।
Comments are closed, but trackbacks and pingbacks are open.