ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଆକର୍ଷଣୀୟ ପ୍ରଦର୍ଶନ ଜାରି ରହିଛି। ୧୦ ମିଟର ଏୟାର ପିସ୍ତଲ ମିଶ୍ରିତ ଦଳଗତ ସୁଟିଂ ଇଭେଣ୍ଟରେ ଭାରତୀୟ ଯୋଡ଼ି ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ସଫଳତା ସହ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଥିବା ବେଳେ ମୋଟ ପଦକ ସଂଖ୍ୟା ୧୮ରେ ପହଞ୍ଚିଛି। ଏହି ମିଶ୍ରିତ ଇଭେଣ୍ଟରେ କମଲଜିତ ସିଂହ ଏବଂ ସୁରୁଚିଙ୍କ ଯୋଡ଼ି ଚମତ୍କାର ନିଶାଣସାଧି ମୋଟ ୪୮୪.୬ ପଏଣ୍ଟ ସ୍କୋର କରି ଶୀର୍ଷ ସ୍ଥାନ ଦଖଲ କରିଥିଲେ। ପ୍ରତିଯୋଗିତାର ଆରମ୍ଭରୁ ହିଁ ଉଭୟ ଭାରତୀୟ ଶୁଟର ଆଗୁଆ ରହି ମ୍ୟାଚ୍ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ଦକ୍ଷିଣ କୋରିଆର ଶୁଟରମାନେ କ୍ରମାଗତ ଭାବେ କଡ଼ା ଚାପ ସୃଷ୍ଟି କରି ଭାରତୀୟ ଯୋଡ଼ିଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ ସୁଦ୍ଧା, ଗୁରୁତ୍ୱପୂର୍ଣ୍ଣ ସମୟରେ କମଲଜିତ ଓ ସୁରୁଚି ଧୈର୍ଯ୍ୟ ଓ ନିୟନ୍ତ୍ରଣ ହରାଇ ନଥିଲେ। ଶେଷରେ ଭାରତ ୪୮୪.୬ ପଏଣ୍ଟ ସହ ସ୍ୱର୍ଣ୍ଣ ହାସଲ କରିଥିବା ବେଳେ, ଦକ୍ଷିଣ କୋରିଆ ୪୭୮ ପଏଣ୍ଟ ପାଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି। ଭାରତୀୟ ଯୋଡ଼ି ଦକ୍ଷିଣ କୋରିଆଠାରୁ ୬.୬ ପଏଣ୍ଟ ଆଗରେ ରହି ଏହି ସଫଳତା ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଇରାନ ୪୧୫.୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛି।
Comments are closed, but trackbacks and pingbacks are open.