ଡିଜିପି ଚୟନ ପ୍ରକ୍ରିୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ସୂର୍ପ୍ରିମକୋର୍ଟଙ୍କ ପ୍ରଶ୍ନ

20

ନୂଆଦିଲ୍ଲୀ: ରାଜ୍ୟର ପରବର୍ତ୍ତୀ ଡିଜିପି ଚୟନ ପ୍ରକ୍ରିୟା, ବରିଷ୍ଠ ଆଇପିଏସ ଅଧିକାରୀ ସୁଶାନ୍ତ ନାଥଙ୍କ ‘ଇଣ୍ଟିଗ୍ରିଟି ସାର୍ଟିଫିକେଟ୍‌’ ପ୍ରତ୍ୟାହାର ଓ ଅସ୍ଥାୟୀ ଏକ୍ସ-କ୍ୟାଡ଼ର ଡିଜି ପଦବୀ ସୃଷ୍ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। କେବଳ ସିବିଆଇର ପଚରାଉଚୁରା ସମ୍ଭାବନାକୁ ଆଧାର କରି ଜଣେ ଅଫିସରଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ରୋକିବା ଅର୍ଥ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଆଗୁଆ ଅଭିଯୁକ୍ତ କରିବା ଭଳି ବୋଲି ସୁପ୍ରିମକୋର୍ଟ କହିଛନ୍ତି l ଏହାସହିତ ସରକାରଙ୍କ ଏକ୍ସକ୍ୟାଡ଼ର ଡିଜିପି ପଦବୀ ସୃଷ୍ଟି ଓ ପଦୋନ୍ନତି ସମ୍ପର୍କିତ ବୈଧାନିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବାରୁ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରି ଉତ୍ତର ରଖିବେ ବୋଲି କହି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସମୟ ମାଗିଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ ଭି. ମୋହନାଙ୍କ ତିନିଜଣିଆ ଖଣ୍ଡପୀଠ କ୍ରମାଗତ ତୃତୀୟ ଦିନ ପାଇଁ ଓଡ଼ିଶା ପୁଲିସ ଡିଜିପି ନିଯୁକ୍ତିରେ ପ୍ରକାଶ ସିଂ ପୁଲିସ ସଂସ୍କାର ମାମଲାର ଉଲ୍ଲଘଂନ ମାମଲାର ଶୁଣାଣି କରିଥିଲେ। ଗୁରୁବାର ଶୁଣାଣିବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଦର୍ଶାଇ କହିଥିଲେ ଯେ, ପୂର୍ବତନ ଡିଜିପି ଅବସର ନେବାର ୬ ମାସ ପୂର୍ବରୁ ଅର୍ଥାତ୍ ୨୦୨୬ ମଇ ମାସରେ ହିଁ ରାଜ୍ୟ ସରକାର ପୁଲିସ ଡିଜିପି ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଚୟନ କେବଳ ବରିଷ୍ଠତା ଉପରେ ନୁହେଁ, ବରଂ ମେରିଟ୍ ଆଧାରରେ କରାଯାଇଥାଏ। ଓଡ଼ିଶା ଏକ ଛୋଟ ରାଜ୍ୟ ହୋଇଥିବାରୁ ମଞ୍ଜୁରୀପ୍ରାପ୍ତ ଅଫିସରଙ୍କ ସଂଖ୍ୟା କମ୍। କାଳେ ୟୁପିଏସସି ପ୍ରଥମ ତିନି ଜଣଙ୍କ ମଧ୍ୟରୁ କାହାକୁ ଉପଯୁକ୍ତ ନପାଇବେ, ସେଥିପାଇଁ ବିକଳ୍ପ ସୁନିଶ୍ଚିତ କରିବା ଲାଗି ଲେଭଲ-୧୬ର ତିନି ଜଣ ଓ ଲେଭଲ-୧୫ରୁ ଅନ୍ୟ ୮ଜଣଙ୍କୁ ମିଶାଇ ମୋଟ ୧୧ ଜଣ ଅଫିସରଙ୍କ ତାଲିକା ପଠାଯାଇଥିଲା। ମଇ ୧୪ ତାରିଖରେ ପଠାଯାଇଥିବା ପ୍ରସ୍ତାବରେ ୨୦୨୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଥିବା ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟ ଓ ସେବା ରେକର୍ଡ ଭିତ୍ତରେ ସମସ୍ତ ଅଫିସରଙ୍କ ସାଧୁତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ତେବେ ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ଅଗଷ୍ଟ ୪ ତାରିଖରେ ଓପିଆରବିର ପୂର୍ବତନ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥଙ୍କୁ ପଚରାଉଚରା କରାଯିବାର ଆବଶ୍ୟକତା ପଡ଼ିପାରେ ବୋଲି ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ରାଜ୍ୟ ସରକାର ଏହି ତଥ୍ୟକୁ ୟୁପିଏସସିକୁ ଅବଗତ କରାଇବା ପରେ, ୟୁପିଏସସିର ନିର୍ଦ୍ଦେଶକ୍ରମେ ଅଗଷ୍ଟ ୧୩ ତାରିଖର ବୈଠକ ପୂର୍ବରୁ ସତର୍କତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଶ୍ରୀନାଥଙ୍କ ଇଣ୍ଟିଗ୍ରିଟି ସାଟିଁଫିକେଟକୁ ଅଟକାଇ ଅନ୍ୟ ୧୦ଜଣ ଅଫିସରଙ୍କ ସଂଶୋଧିତ ତାଲିକା ଦିଆଯାଇଥିଲା l କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାରକୁ ଧାର୍ଯ୍ୟ କରିଛନ୍ତି।

Comments are closed, but trackbacks and pingbacks are open.