ନୂଆଦିଲ୍ଲୀ: ବ୍ୟାଙ୍କ ୟୁନିଅନଗୁଡ଼ିକ ଦ୍ୱାରା ଡାକରା ଦିଆଯାଇଥିବା ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସାଧାରଣ ଜନତାଙ୍କ ସୁବିଧା ପାଇଁ ଅର୍ଥ ମନ୍ତ୍ରଣାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମିଳିତ ଭାବେ ସେପ୍ଟେମ୍ବର ୨୭ ତାରିଖ ରବିବାର ଦିନ ସମସ୍ତ ସରକାରୀ କ୍ଷେତ୍ର ବ୍ୟାଙ୍କ (PSB) ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ (RRB) ଗୁଡ଼ିକୁ ଯଥାରୀତି ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍’ (UFBU) ସେପ୍ଟେମ୍ବର ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟର ଆହ୍ୱାନ ଦେଇଛି। ଏହି ସମସ୍ୟାର ସମାଧାନ ପାଇଁ ମଙ୍ଗଳବାର ଦିନ ଉପମୁଖ୍ୟ ଶ୍ରମ କମିଶନରଙ୍କ ସମ୍ମୁଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମାତ୍ର ଏହି ଆଲୋଚନା ଅଫଳପ୍ରଦ ହେବା ଯୋଗୁଁ UFBU ନିଜର ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଛି। ଫଳରେ ଗ୍ରାହକମାନେ ଯେପରି ହଇରାଣ ନ ହୁଅନ୍ତି, ସେଥିପାଇଁ ସରକାର ଜରୁରୀକାଳୀନ ଭାବେ ରବିବାର ବ୍ୟାଙ୍କ ଖୋଲା ରଖିବାକୁ ପଦକ୍ଷେପ ନେଇଛନ୍ତି।
Comments are closed, but trackbacks and pingbacks are open.