‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ ଆଇନକୁ ଚ୍ୟାଲେଞ୍ଜ: କେନ୍ଦ୍ରରୁ ଜବାବ ମାଗିଲେ ସୁପ୍ରିମକୋର୍ଟ

27

ନୂଆଦିଲ୍ଲୀ: ‘ବନ୍ଦେ ମାତରମ୍’ର ୬ଟିଯାକ ପଦ ଗାନକୁ ବାଧ୍ୟତାମୂଳକ କରୁଥିବା ଆଇନକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଆବେଦନ ଉପରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। ସଙ୍ଗୀତଜ୍ଞ ଟି.ଏମ୍. କୃଷ୍ଣଙ୍କ ଦ୍ୱାରା ଦାଖଲ ଏହି ମାମଲାର ଶୁଣାଣି ସମୟରେ ଅଦାଲତରେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ (SG) ତୁଷାର ମେହେଟ୍ଟା ଏବଂ ବରିଷ୍ଠ ଆଇନଜୀବୀ ଡକ୍ଟର ଏସ୍. ମୁରଲୀଧରଙ୍କ ମଧ୍ୟରେ କଡ଼ା ବାକ୍ୟବିନିମୟ ଦେଖିବାକୁ ମିଳିଛି। ଶୁଣାଣି ସମୟରେ ସଲିସିଟର ଜେନେରାଲ କହିଥିଲେ ଯେ, “ନକ୍ସଲବାଦୀଙ୍କ ଅନୁସାରେ ଆଇନ ଗଠନ କରାଯାଇପାରିବ ନାହିଁ।” ଏହି ମନ୍ତବ୍ୟକୁ କଡ଼ା ବିରୋଧ କରି ବରିଷ୍ଠ ଆଇନଜୀବୀ ଡକ୍ଟର ଏସ୍. ମୁରଲୀଧର କହିଥିଲେ, “ଶୁଣାଣିର ସିଧା ପ୍ରସାରଣ  ହେଉଛି। ଜଣେ ଆଇନ ପ୍ରବର୍ତ୍ତନ ଅଧିକାରୀଙ୍କଠାରୁ ଏପରି ଶବ୍ଦ ଆଶା କରାଯାଏ ନାହିଁ। SG ଏହି ମନ୍ତବ୍ୟକୁ ପ୍ରତ୍ୟାହାର କରିବା ସହ ଅଦାଲତର ମର୍ଯ୍ୟାଦା ରକ୍ଷା କରିବା ଉଚିତ୍।” ନିଜ ବକ୍ତବ୍ୟରେ କାଏମ୍ ରହି ସଲିସିଟର ଜେନେରାଲ କହିଥିଲେ ଯେ, “ମୁଁ ଯାହା କହିଛି ସେଥିପାଇଁ ମୋର କୌଣସି ଅନୁତାପ ନାହିଁ, ଆମକୁ ଆଇନ ପାଳନ କରିବାକୁ ପଡ଼ିବ।” ଏହା ପରେ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ମଧ୍ୟ ମନ୍ତବ୍ୟ ଦେଇ କହିଥିଲେ ଯେ, ଭିନ୍ନ ଚିନ୍ତାଧାରା ରଖିବାର ଅର୍ଥ ନକ୍ସଲବାଦୀ ହେବା ନୁହେଁ।

Comments are closed, but trackbacks and pingbacks are open.