SIR ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ : ରାଜ୍ୟରେ ୩ କୋଟି ୧୬ ଲକ୍ଷ ଭୋଟର, ବାଦ୍ ପଡ଼ିଲେ ୨୦ ଲକ୍ଷ ଭୋଟର

22

ଭୁବନେଶ୍ୱର: ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସଆଇଆର-୨୦୨୬) ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ମୋଟ ୨୦ ଲକ୍ଷ ୧୨ହଜାର ୫୫୭ଜଣ ଭୋଟର ଚୂଡ଼ାନ୍ତ ତାଲିକାରୁ ବାଦ୍ ପଡ଼ିଥିବାବେଳେ ଏବେ ରାଜ୍ୟରେ ମୋଟ ୩କୋଟି ୧୬ଲକ୍ଷ ୩୨ହଜାର ୭୫୪ଜଣ ଭୋଟର ରହିଛନ୍ତି। ଚଳିତ ଏସଆଇଆର ପ୍ରକ୍ରିୟାରେ ମୋଟ ପ୍ରାୟ ୫୮ଲକ୍ଷ ଭୋଟରଙ୍କୁ ନିର୍ବାଚନ କମିଶନ ନୋଟିସ୍ ଜାରି କରିଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍ ଗୋପାଳନଙ୍କ ଦ୍ୱାରା ଏହି ଚୂଡ଼ାନ୍ତ ଭୋଟର ତାଲିକା ଜାରି ହୋଇଛି । ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ପରେ ରାଜ୍ୟରେ ବୁଥ୍ ସଂଖ୍ୟା ୪୫୨୫୦କୁ ବୃଦ୍ଧି ପାଇଛି।ମୋଟ ଭୋଟରଙ୍କ ମଧ୍ୟରେ ୧ କୋଟି ୬୧ ଲକ୍ଷ ୩୦ ହଜାର ୩୧୯ ଜଣ ପୁରୁଷ, ୧ କୋଟି ୫୪ ଲକ୍ଷ ୯୯ ହଜାର ୬୬୧ ଜଣ ମହିଳା ଓ ୨୭୭୪ ଜଣ ତୃତୀୟ ଲିଙ୍ଗୀ ଭୋଟର ସାମିଲ ଅଛନ୍ତି। ଏହାସହ ରାଜ୍ୟରେ ଲିଙ୍ଗ ଅନୁପାତ ୯୬୧କୁ ବୃଦ୍ଧି ପାଇଛି ଓ ଭୋଟର-ଜନସଂଖ୍ୟା ଅନୁପାତ ୬୭.୦୫ ପ୍ରତିଶତ ରହିଛି। ଏହି ଚୂଡ଼ାନ୍ତ ଭୋଟର ତାଲିକା ସମସ୍ତ ବୁଥ୍‌, ସରକାରୀ ନିର୍ବାଚନ କାର୍ଯ୍ୟାଳୟ ତଥା ନିର୍ବାଚନ କମିଶନ ଓ ସିଇଓଙ୍କ ୱେବସାଇଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଉପଲବ୍ଧ କରାଯାଇଛି, ଯେଉଁଠାରେ ନାଗରିକମାନେ ନିଜ ନାମ ଯାଂଚ କରି ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କରିପାରିବେ l

Comments are closed, but trackbacks and pingbacks are open.