ଶଙ୍ଖ ନଦୀରେ ଗାଧୋଉଥିବା ବେଳେ ଅଘଟଣ: ବୁଡ଼ିଯାଇ ୩ ନାବାଳିକା ମୃତ

21

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନା ଅଞ୍ଚଳରେ ବୁଧବାର ସକାଳେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଶଙ୍ଖ ନଦୀରେ ଗାଧୋଉଥିବା ସମୟରେ ବୁଡ଼ିଯାଇ ୩ ଜଣ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଢିପାପଡ଼ା ଓ ମଝାଟୋଲି ଗ୍ରାମର ୪ ଜଣ ସାଙ୍ଗ (୩ ଜଣ ନାବାଳିକା ଓ ଜଣେ ନାବାଳକ) ସ୍ଥାନୀୟ ଶଙ୍ଖ ନଦୀର ଧୋଇପଡ଼ା ନିକଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ଅସାବଧାନତାବଶତଃ ୪ ଜଣଯାକ ଗଭୀର ପାଣିକୁ ଚାଲିଯାଇଥିଲେ। ସେମାନଙ୍କ ମଧ୍ୟରୁ ସଲଙ୍ଗାବାହାଲ ଗ୍ରାମର ପ୍ରତାପ ସାହୁ ନାମକ ନାବାଳକ ଜଣକ କୌଣସି ମତେ ନଦୀରୁ ବାହାରି ସୁରକ୍ଷିତ ରହିଥିବା ବେଳେ, ଅନ୍ୟ ୩ ଜଣ ନାବାଳିକା ଗଭୀର ପାଣିରେ ବୁଡ଼ିଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ନଦୀରେ ଖୋଜାଖୋଜି କରି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତକମାନେ ହେଲେ ଗୀତିକା ସାହୁ (୬ ବର୍ଷ), ସିବିକା ସାହୁ (୬ ବର୍ଷ), ଶ୍ରୁତି ସାହୁ । ଖବର ପାଇ ରାଏବୋଗା ଥାନାଧିକାରୀ ଦିବ୍ୟ ଓରାମ ପୁଲିସ ବଳ ସହ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଛନ୍ତି। ଶବଗୁଡ଼ିକୁ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ଏ ନେଇ ରାଏବୋଗା ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ- ୦୯/୨୬) ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଏହି କରୁଣ ଦୁର୍ଘଟଣା ପରେ ରାଏବୋଗା, ଢିପାପଡ଼ା ଓ ସଲଙ୍ଗାବାହାଲ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Comments are closed, but trackbacks and pingbacks are open.