ଖୁବଶୀଘ୍ର ବଜାରକୁ ଆସିବ ‘ଓମ୍‌ଫେଡ୍’ ପ୍ୟାକେଜ୍‌ଡ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

20

ଭୁବନେଶ୍ବର: ରାଜ୍ୟରେ ନିଜର ଉତ୍ପାଦନ ପୋର୍ଟଫୋଲିଓକୁ ବୃଦ୍ଧି କରିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି ‘ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ସଂଘ’ (ଓମ୍‌ଫେଡ୍)। ଖୁବଶୀଘ୍ର ବଜାରକୁ ଓମ୍‌ଫେଡ୍‌ର ପ୍ୟାକେଜ୍‌ଡ ପାନୀୟ ଜଳ ଏବଂ ବିଭିନ୍ନ ସ୍ୱାଦିଷ୍ଟ ଫ୍ଲେଭରର ଆଇସକ୍ରିମ୍ ଆସିବାକୁ ଯାଉଛି। ଏ ନେଇ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ଉତ୍ପାଦଗୁଡ଼ିକୁ ବଜାରକୁ ଆଣିବା ନେଇ ଓମ୍‌ଫେଡ୍ ବୋର୍ଡ ସହ ଆଲୋଚନା ଜାରି ରହିଛି। ବୋର୍ଡର ଆନୁଷ୍ଠାନିକ ଅନୁମୋଦନ ମିଳିବା ପରେ ଏଗୁଡ଼ିକ ବଜାରରେ ଉପଲବ୍ଧ ହେବ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ କ୍ଷୀର, ଛେନା ଓ ପନୀର ଅପମିଶ୍ରଣ ଘଟଣା ସାମ୍ନାକୁ ଆସୁଥିବା ବେଳେ ଓମ୍‌ଫେଡ୍‌ର ଗୁଣବତ୍ତା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯେ ଓମ୍‌ଫେଡ୍ ସଦାସର୍ବଦା ଉଚ୍ଚ ଗୁଣବତ୍ତା ବଜାୟ ରଖିଥାଏ। ଓମ୍‌ଫେଡ୍ କ୍ଷୀରକୁ ବଜାରକୁ ଛାଡ଼ିବା ପୂର୍ବରୁ ତ୍ରିସ୍ତରୀୟ ଯାଞ୍ଚ କରାଯାଏ ଏବଂ ଫ୍ୟାଟ୍ ମାତ୍ରାର କଡ଼ା ପରୀକ୍ଷଣ କରାଯାଇଥାଏ। ଏଥିରେ କୌଣସି ଅପମିଶ୍ରଣକୁ ପ୍ରଶ୍ରୟ ଦିଆଯାଏ ନାହିଁ ଏବଂ ଯଦି କୌଣସିଠାରେ ଅପମିଶ୍ରଣ ନଜରକୁ ଆସେ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଏହା ସହ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଓମ୍‌ଫେଡ୍ କ୍ଷୀରର ସଂଗ୍ରହ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.